“ତୁମ ଜାଗା ଜେଲ୍ରେ”: ଟଙ୍କା ନଦେବାରୁ ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମ୍ କୋର୍ଟଙ୍କ କଡ଼ା ତାଗିଦ୍
ନୂଆଦିଲ୍ଲୀ: ଚେକ୍ ବାଉନ୍ସ ଏବଂ ଋଣ ପରିଶୋଧ ମାମଲାରେ ବଲିଉଡ୍ର ଜଣାଶୁଣା କମେଡିଆନ୍ ରାଜପାଲ ଯାଦବଙ୍କୁ ପୁଣି ଥରେ ସୁପ୍ରିମ୍ କୋର୍ଟଙ୍କ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। କୋର୍ଟରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ବାକି ଟଙ୍କା ପୈଠ ନକରିବାରୁ ବିଚାରପତି ଅତ୍ୟନ୍ତ କ୍ଷୁବ୍ଧ ହୋଇ କହିଛନ୍ତି, “ତୁମର ଅହଂକାରକୁ ଠିକ୍ ଜାଗାରେ ରଖିବା ଦରକାର, ତୁମ ଜାଗା କୋର୍ଟ ନୁହେଁ, ଜେଲ୍ରେ।”
ଘଟଣାର ପୃଷ୍ଠଭୂମି:
୨୦୧୦ ମସିହାରେ ନିଜର ଏକ ଫିଲ୍ମ ନିର୍ମାଣ ପାଇଁ ରାଜପାଲ ‘ମୁରଲୀ ପ୍ରୋଜେକ୍ଟସ’ ନାମକ ଏକ ସଂସ୍ଥାରୁ ୫ କୋଟି ଟଙ୍କାର ଋଣ ନେଇଥିଲେ। ମାତ୍ର ସେହି ଟଙ୍କା ସୁଝିବା ପାଇଁ ସେ ଦେଇଥିବା ଚେକ୍ଗୁଡ଼ିକ ବାଉନ୍ସ ହୋଇଯାଇଥିଲା। ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ।
ସୁପ୍ରିମ୍ କୋର୍ଟରେ କ’ଣ ହେଲା?
ହାଇକୋର୍ଟଙ୍କ ରାୟ ବିରୋଧରେ ରାଜପାଲ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍ କୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇ ୫ କୋଟି ଟଙ୍କାରୁ ଅନ୍ତତଃ ୨ କୋଟି ଟଙ୍କା ତୁରନ୍ତ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବାରମ୍ବାର ସମୟ ନେବା ସତ୍ତ୍ୱେ ସେ ସମ୍ପୂର୍ଣ୍ଣ ଟଙ୍କା ଜମା କରିପାରିନଥିଲେ।
ସୋମବାର ଶୁଣାଣି ସମୟରେ ରାଜପାଲଙ୍କ ଓକିଲ ମାତ୍ର ୫୦ ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ (DD) ପ୍ରକ୍ରିୟାଧୀନ ଅଛି ବୋଲି ଦର୍ଶାଇଥିଲେ। ଏଥିରେ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଅଭିନେତାଙ୍କ ବାରମ୍ବାର ବାହାନାବାଜିକୁ ନେଇ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। କୋର୍ଟ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଶେଷ ସୁଯୋଗ ଦେଇଛନ୍ତି, ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ଜମା ନହୁଏ, ତେବେ ରାଜପାଲଙ୍କ ଆବେଦନ ଖାରଜ ହୋଇ ସେ ଜେଲ୍ ଯିବା ନିଶ୍ଚିତ ହୋଇପାରେ।



