ଟ୍ରାଫିକ୍ ଫାଇନ୍ ନଦେଲେ କଟିବ ବିଜୁଳି ସଂଯୋଗ? ଜାଣନ୍ତୁ ସୁପ୍ରିମ୍ କୋର୍ଟଙ୍କ ବଡ଼ ମନ୍ତବ୍ୟ
ଅଗଣିତ ଲୋକ ଟ୍ରାଫିକ୍ ନିୟମ ଭାଙ୍ଗି ଚାଲାଣ କାଟୁଛନ୍ତି, କିନ୍ତୁ ଜରିମାନା ଟଙ୍କା ଜମା କରୁନାହାନ୍ତି। ଏହି ବାକି ପଡ଼ିଥିବା କୋଟି କୋଟି ଟଙ୍କାର ଚାଲାଣ ଆଦାୟ କରିବା ପାଇଁ ସୁପ୍ରିମ୍ କୋର୍ଟ ଏକ ନୂଆ ଏବଂ କଡ଼ା ପରାମର୍ଶ ଦେଇଛନ୍ତି।
ଶୁଣାଣି ସମୟରେ Justice J.B. Pardiwala ଏବଂ Justice K.V. Viswanathan ପୀଠ କହିଛନ୍ତି ଯେ, ଯଦି ଲୋକମାନେ ଟ୍ରାଫିକ୍ ଚାଲାଣ ଗଣୁନାହାନ୍ତି, ତେବେ ସେହି ଜରିମାନା ଟଙ୍କାକୁ ସେମାନଙ୍କ ଘର ବିଜୁଳି ବିଲ୍ରେ ଯୋଡ଼ି ଦିଆଯାଉ। ବିଜୁଳି ବିଲ୍ ନଦେଲେ ଲାଇନ୍ କଟିଯିବାର ଭୟ ଥିବାରୁ ଲୋକେ ବାଧ୍ୟ ହୋଇ ଜରିମାନା ଭରିବେ।
ନିୟମ ଲାଗୁ ହୋଇଗଲା କି?
ନା, ଏହା କୌଣସି ଚୂଡ଼ାନ୍ତ ଆଦେଶ ନୁହେଁ। କୋର୍ଟ କେବଳ ସରକାର ଓ ପ୍ରଶାସନକୁ ଏହା ଏକ ପ୍ରସ୍ତାବ ବା ପରାମର୍ଶ ଭାବେ ଚିନ୍ତା କରିବାକୁ କହିଛନ୍ତି।
ଆଉ କ’ଣ ସବୁ କୋର୍ଟ କହିଛନ୍ତି?
୧. ଯେପର୍ଯ୍ୟନ୍ତ ବାକି ଚାଲାଣ ଜମା ହୋଇନାହିଁ, ସେପର୍ଯ୍ୟନ୍ତ ଗାଡ଼ିର RC ନବୀକରଣ, ମାଲିକାନା ବଦଳାଇବା କିମ୍ବା ଫିଟନେସ୍ ସାର୍ଟିଫିକେଟ୍ ଦେବା ବନ୍ଦ ରଖାଯାଉ।
୨. ଡ୍ରାଇଭିଂ ଲାଇସେନ୍ସ ନବୀକରଣ ଅଟକାଇବା ଏବଂ ଗାଡ଼ିର PUC ନଦେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।
୩. ରାସ୍ତାରେ ହଠାତ୍ ଗାଡ଼ି ଯାଞ୍ଚ କରି ବାକି ଚାଲାଣ ଥିଲେ ଗାଡ଼ି ଜବତ କରିବାକୁ କୁହାଯାଇଛି।
ସାରା ଦେଶରେ ପାଖାପାଖି ୪୫,୦୦୦ କୋଟି ଟଙ୍କାର e-Challan ମଧ୍ୟରୁ ପ୍ରାୟ ୨୦,୦୦୦ କୋଟି ଟଙ୍କା ଏବେ ବି ଅସୁଲ ହୋଇପାରିନାହିଁ। କେବଳ କାଗଜପତ୍ରରେ ଚାଲାଣ କାଟିଲେ ହେବନାହିଁ, ସେହି ଟଙ୍କା କିପରି ଆଦାୟ ହେବ ସେଥିପାଇଁ କଡ଼ା ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।



