ଭିଜିଲାନ୍ସ ଜାଲରେ ସମ୍ବଲପୁର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ: ୭ଟି ଠିକଣାରେ ଏକାଥରେ ଚଢ଼ାଉ
ସମ୍ବଲପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର (Factories and Boilers) ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଉପରେ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। ତାଙ୍କର ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ଥିବା ମୋଟ ୭ଟି ସ୍ଥାନରେ ମଙ୍ଗଳବାର ସକାଳୁ ଏକାସାଙ୍ଗରେ ତଲାସି ଅଭିଯାନ ଆରମ୍ଭ ହୋଇଛି।
ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତଙ୍କ ପରୱାନା ଆଧାରରେ ୮ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଅଛନ୍ତି।
କେଉଁ କେଉଁ ଠିକଣାରେ ଚାଲିଛି ତଲାସି? ୧. ସମ୍ବଲପୁର ଧନକଉଡ଼ା ସନ୍ ସିଟି ଆପାର୍ଟମେଣ୍ଟରେ ଥିବା ୩-BHK ଫ୍ଲାଟ୍।
୨. ଭୁବନେଶ୍ୱର ନନ୍ଦନକାନନ ରୋଡ୍, ନନ୍ଦନ ବିହାରସ୍ଥିତ ଡୁପ୍ଲେକ୍ସ ଭବନ।
୩. ଭୁବନେଶ୍ୱର ଜଟଣୀ ନିକଟ ବାରକୁଦାସ୍ଥିତ ଇଣ୍ଡସ୍ କଲେଜ୍ ଅଫ୍ ଇଞ୍ଜିନିୟରିଂ ପାଖରେ ଥିବା କୋଠା।
୪. ପୁରୀ ବାଲିଗୁଆଳି, ତୋଟା ବେହେରା ସାହିସ୍ଥିତ ୩ ମହଲା କୋଠା।
୫. ଖୋର୍ଦ୍ଧା ବାଲୁଗାଁ ସୁବାଷ ମାର୍ଗସ୍ଥିତ ୨ ମହଲା କୋଠା।
୬. ବାଲୁଗାଁ ଅଶୋକ ନଗରସ୍ଥିତ ପୈତୃକ ଘର (୨ ମହଲା)।
୭. ସମ୍ବଲପୁରସ୍ଥିତ ଡେପୁଟି ଡାଇରେକ୍ଟର ଅଫିସରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ।
ଫଳାଫଳ ଓ ଜବତ ହୋଇଥିବା ମୋଟ ସମ୍ପତ୍ତିର ପରିମାଣ ସମ୍ପର୍କରେ ତଦନ୍ତ ଶେଷ ହେବା ପରେ ବିସ୍ତୃତ ସୂଚନା ମିଳିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।



