ମଧ୍ୟପ୍ରଦେଶରେ ଗୋଟିଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ଦେବୀ ଦର୍ଶନ ସାରି ଫେରୁଥିବା ବେଳେ ବନ୍ୟା ଜଳ ଭାସିଗଲେ ୮ ଜଣ ଶ୍ରଦ୍ଧାଳୁ, ଯେଉଁଥିରେ ୭ ଜଣ ଓଡ଼ିଆ!
ଦର୍ଶନ ସାରି ଫେରିବା ବେଳେ ଘଟିଲା କାଳ:
ଓଡ଼ିଶାର ଏକ ପରିବାର ପ୍ରଥମେ ଉଜ୍ଜୟିନୀ ଯାଇ ସେଠାରୁ ଏକ ଟ୍ୟାକ୍ସି ଯୋଗେ ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲାରେ ଥିବା ପ୍ରସିଦ୍ଧ ନଲଖେଡ଼ା ମା’ ବଗଲାମୁଖୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ପୂଜାର୍ଚ୍ଚନା ସାରି ଗାଡ଼ିରେ ଫେରୁଥିବା ସମୟରେ ମନ୍ଦିର ନିକଟସ୍ଥ ଏକ ପୋଲ ଉପରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଜଳ ପ୍ରବାହିତ ହେଉଥିଲା। ଗାଡ଼ି ଚାଳକ ଜଣକ ସେହି ପାଣି ମଧ୍ୟରେ ଗାଡ଼ି ଆଗକୁ ନେବାକୁ ଚେଷ୍ଟା କରିବାରୁ, ପାଣିର ପ୍ରବଳ ସ୍ରୋତରେ କାର୍ଟି ନିୟନ୍ତ୍ରଣ ହରାଇ ଭାସି ଯାଇଥିଲା।
ଦୁର୍ଘଟଣାର ଖବର ପାଇ ପୋଲିସ ଓ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି କାର୍ଟିକୁ ପାଣିରୁ ବାହାର କରିଥିଲେ ମଧ୍ୟ ସେତେବେଳକୁ ସମସ୍ତ ୮ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତକଙ୍କ ମଧ୍ୟରେ ଓଡ଼ିଶାର ୭ ଜଣ ଶ୍ରଦ୍ଧାଳୁଙ୍କ ସହ ଟ୍ୟାକ୍ସି ଚାଳକ ଅଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଏବଂ ୨ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି।
ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ମୃତଦେହକୁ ଓଡ଼ିଶା ଫେରାଇ ଆଣିବା ଏବଂ ପରିବାରକୁ ସମସ୍ତ ସହାୟତା ଯୋଗାଇଦେବା ପାଇଁ ମଧ୍ୟପ୍ରଦେଶ ସରକାର ଓ ଜିଲ୍ଲା ପ୍ରଶାସନ ସହ ଓଡ଼ିଶା ସରକାର ଲଗାତାର ଯୋଗାଯୋଗରେ ଅଛନ୍ତି।

