ଏସୀୟ କ୍ରୀଡ଼ା ୨୦୨୬: କିଟ୍ ନମିଳିବାରୁ ଉଦ୍ଘାଟନୀ ଉତ୍ସବରୁ ବାଦ୍ ପଡ଼ିଲେ ଭାରତୀୟ ଆଥଲେଟ୍ସ, ଶେଷ ମୁହୂର୍ତ୍ତରେ ବଦଳିଲେ ପତାକାବାହକ
ଜାପାନର ଆଇଚି-ନାଗୋୟାରେ ଆରମ୍ଭ ହୋଇଥିବା ୨୦୨୬ ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଭାରତୀୟ ଆଥଲେଟିକ୍ସ ଦଳ ସାମିଲ ହୋଇପାରିନାହାନ୍ତି। ସମସ୍ତ ପ୍ରସ୍ତୁତି ସତ୍ତ୍ୱେ କେବଳ ଅଫିସିଆଲ୍ ପୋଷାକ (ସେରେମୋନିଆଲ୍ କିଟ୍) ସମୟରେ ନପହଞ୍ଚିବା ଯୋଗୁଁ ଏପରି ଏକ ବିଭ୍ରାଟ ଦେଖିବାକୁ ମିଳିଛି।
ସବୁଠାରୁ ବଡ଼ କଥା ହେଉଛି, ଭାରତୀୟ ଦଳର ଅନ୍ୟତମ ମୁଖ୍ୟ ପତାକାବାହକ ଭାବେ ମନୋନୀତ ହୋଇଥିବା ତାରକା ଶଟ୍ପୁଟର୍ ତଜିନ୍ଦରପାଲ ସିଂହ ତୂର ମଧ୍ୟ ଏହି କାରଣରୁ ମାର୍ଚ୍ଚ ପାଷ୍ଟରେ ଭାଗ ନେଇପାରିନାହାନ୍ତି। ଶେଷ ମୁହୂର୍ତ୍ତରେ ତାଙ୍କ ବଦଳରେ କବାଡି ଖେଳାଳି ପବନ ସେହରାୱତଙ୍କୁ ସୁଟର ମନୁ ଭାକରଙ୍କ ସହ ଭାରତୀୟ ପତାକା ଧରିବାର ଦାୟିତ୍ୱ ଦିଆଯାଇଥିଲା।
ମିଳିଥିବା ସୂଚନା ଅନୁସାରେ, ୭୫ ଜଣିଆ ଆଥଲେଟିକ୍ସ ଦଳ ଟୋକିଓ ନିକଟସ୍ଥ ସୁକୁବାଠାରେ ଟ୍ରେନିଂ କ୍ୟାମ୍ପରେ ଥିଲେ। ସେମାନଙ୍କ ଖେଳ ପରେ ଆରମ୍ଭ ହେବାକୁ ଥିବାରୁ ସେମାନଙ୍କ ନିକଟରେ ଅଫିସିଆଲ ସେରେମୋନିଆଲ କିଟ୍ ପହଞ୍ଚି ନଥିଲା। ତୂରଙ୍କ କିଟ୍ ନାଗୋୟା ବିମାନବନ୍ଦରରେ ପହଞ୍ଚିବାରେ ବିଳମ୍ବ ହେବାରୁ ସେ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇପାରିବେ ନାହିଁ ବୋଲି ଆଇଓଏ (IOA) କୁ ଜଣାଇଦେଇଥିଲେ।
କେବଳ ଏତିକି ନୁହେଁ, ଏଥର ଜାପାନରେ ଆଥଲେଟ୍ସଙ୍କ ପାଇଁ ରହିବା ଓ ଗାଡ଼ିମୋଟରର ସୁବିଧାକୁ ନେଇ ମଧ୍ୟ ଅନେକ ଅସୁବିଧା ସାମ୍ନାକୁ ଆସିଛି। ତେବେ ଖେଳାଳିମାନଙ୍କ ନିକଟରେ ସେମାନଙ୍କର ପ୍ରତିଯୋଗିତା ପୋଷାକ (କମ୍ପିଟିସନ୍ କିଟ୍) ପହଞ୍ଚି ସାରିଥିବାରୁ ମ୍ୟାଚ୍ଗୁଡ଼ିକ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଛି।

