Sonam Wangchuk vs Aamir Khan: The 3 Idiots Phunsuk Wangdu Debate/’ଗଜନୀ’ ଆଉଟଫିଟ୍‌ରେ ଥିବାରୁ ଆମିର ଆମ ସାକ୍ଷାତ କଥା ଭୁଲିଯାଇଥାଇପାରନ୍ତି: ସୋନମ ୱାଙ୍ଗଚୁକ୍..

ଆମିରଙ୍କ ‘ସର୍ଟ-ଟର୍ମ ମେମୋରୀ ଲସ୍’ ହୋଇଯାଇଥିଲା! ‘୩ ଇଡିଅଟ୍ସ’ ବିବାଦକୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ରସାଳ ଜବାବ
‘୩ ଇଡିଅଟ୍ସ’ ଫିଲ୍ମର ଚର୍ଚ୍ଚିତ ଚରିତ୍ର ‘ଫୁନସୁଖ ୱାଙ୍ଗଡୁ’ କାହା ଉପରେ ଆଧାରିତ? ଏହାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ନିକଟରେ ଅଭିନେତା ଆମିର ଖାନ୍‌ କହିଥିଲେ ଯେ, ଫିଲ୍ମ ତିଆରି ହେବା ସମୟରେ ସେ କିମ୍ବା ନିର୍ଦ୍ଦେଶକ ରାଜକୁମାର ହିରାନୀ, ଲଦାଖର ପ୍ରସିଦ୍ଧ ଶିକ୍ଷାବିତ୍‌ ତଥା ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ୍‌ଙ୍କ ବିଷୟରେ କିଛି ଜାଣିନଥିଲେ। ତେବେ ଆମିରଙ୍କ ଏହି ବକ୍ତବ୍ୟ ଉପରେ ଏବେ ମଜାଳିଆ ଢଙ୍ଗରେ କଟାକ୍ଷ କରିଛନ୍ତି ସୋନମ।
ୟୁଟ୍ୟୁବର ପ୍ରଖର ଗୁପ୍ତାଙ୍କ ପୋଡକାଷ୍ଟରେ କଥା ହେବା ବେଳେ ସୋନମ ଏକ ପୁରୁଣା ଭିଡିଓର ସୂଚନା ଦେଇଛନ୍ତି, ଯେଉଁଥିରେ ଆମିର ଏବଂ ସୋନମ ଏକାଠି ନଜର ଆସୁଛନ୍ତି। ସୋନମ ହସି ହସି କହିଛନ୍ତି, “ସେତେବେଳେ ଆମିର ‘ଗଜନୀ’ ଫିଲ୍ମର ଆଉଟଫିଟ୍‌ରେ ଥିଲେ। ହୋଇପାରେ ସେ ନିଜ କ୍ୟାରେକ୍ଟର ଭିତରେ ଏତେ ପଶିଯାଇଥିଲେ ଯେ, ୧୫ ସେକେଣ୍ଡରେ ସବୁକିଛି ଭୁଲିଯିବାର ‘ସର୍ଟ-ଟର୍ମ ମେମୋରୀ ଲସ୍’ ତାଙ୍କୁ ହୋଇଯାଇଥିବ!”
ସୋନମ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କର ସାକ୍ଷାତ କେବଳ ‘ହାଏ-ହାଲୋ’ ଭିତରେ ସୀମିତ ନଥିଲା, ବରଂ ଗୋଟିଏ ଆୱାର୍ଡ ଫଙ୍କସନରେ ଦୁହିଁଙ୍କ ମଧ୍ୟରେ ଅନେକ ଆଇଡିଆକୁ ନେଇ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ହୋଇପାରେ ଆମିର ସେହି ଆଇଡିଆଗୁଡ଼ିକୁ ନିଜ ଟିମ୍‌ ସହ ଶେୟାର କରିଥିବେ ଏବଂ ତାଙ୍କ ରାଇଟରମାନେ ଜାଣିପାରିନଥିବେ ଯେ ଏହା କାହାର ଆଇଡିଆ।
ତେବେ ‘୩ ଇଡିଅଟ୍ସ’କୁ ନିଜର ବାୟୋପିକ ବୋଲି ସେ ଦାବି କରୁନାହାନ୍ତି। ଏସବୁ କଥାକୁ ନେଇ ସେ ଆଦୌ ଚିନ୍ତିତ ନୁହଁନ୍ତି ଏବଂ ଏହାକୁ ଏତେ ଗୁରୁତ୍ୱ ନଦେଇ ଆଗକୁ ବଢ଼ିବାକୁ ପସନ୍ଦ କରନ୍ତି ବୋଲି ସୋନମ କହିଛନ୍ତି।

Leave a Reply

Your email address will not be published. Required fields are marked *