ଆଇନଜୀବୀଙ୍କୁ ଅଟକ ଘଟଣା: ପ୍ରଧାନ ବିଚାରପତିଙ୍କ ହସ୍ତକ୍ଷେପ ପରେ ସମସ୍ତେ ମୁକ୍ତ
ନୂଆଦିଲ୍ଲୀ:
ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ସମୟରେ ପୋଲିସ ଦ୍ୱାରା କିଛି ଆଇନଜୀବୀଙ୍କୁ ଅଟକ ରଖାଯିବା ଘଟଣା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ‘କାକରୋଚ ଜନତା ପାର୍ଟି’ (CJP) ର ଆନ୍ଦୋଳନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟ ପରିସର ଓ ଚାମ୍ବରରୁ କିଛି ଆଇନଜୀବୀଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଥିଲା।
ଏହାକୁ ନେଇ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (SCBA) କ୍ଷୋଭ ପ୍ରକାଶ କରିବା ସହ ନିନ୍ଦା କରିଥିଲା। ଆଇନଜୀବୀମାନଙ୍କ ନିରାପତ୍ତା ଓ ତୁରନ୍ତ ମୁକ୍ତି ପାଇଁ SCBA ପକ୍ଷରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟ କାନ୍ତଙ୍କ ଜରୁରୀ ହସ୍ତକ୍ଷେପ ଲୋଡ଼ାଯାଇଥିଲା।
ଘଟଣାକୁ ଗୁରୁତର ସହ ନେଇ CJI ସୂର୍ଯ୍ୟ କାନ୍ତ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସିଧାସଳଖ କଥା ହୋଇଥିଲେ। ପ୍ରଧାନ ବିଚାରପତିଙ୍କ ଏହି ହସ୍ତକ୍ଷେପ ପରେ ଅଟକ ରଖାଯାଇଥିବା ସମସ୍ତ ଆଇନଜୀବୀଙ୍କୁ ତୁରନ୍ତ ଛାଡ଼ି ଦିଆଯାଇଛି। SCBA ସଭାପତି ପ୍ରଦୀପ ରାୟ ଏହି ସୂଚନା ଦେଇବା ସହ ଜରୁରୀ ପଦକ୍ଷେପ ପାଇଁ CJIଙ୍କୁ ଧନ୍ୟବାଦ ଜଣାଇଛନ୍ତି ।



