ସରକାରୀ କାମରେ ଜିଆଇଏସ୍ ଓ ଜିଓ-ଏଆଇ: ଏନ୍ଆଇସି ଓଡ଼ିଶାରେ ଟେକ୍-ବୁଟକ୍ୟାମ୍ପ
ଭୁବନେଶ୍ୱର[News Inshot]: ସରକାରୀ ଯୋଜନା ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ତଥ୍ୟଭିତ୍ତିକ ଏବଂ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC), ଓଡ଼ିଶା ପକ୍ଷରୁ ଏକ ସ୍ୱତନ୍ତ୍ର ଟେକ୍-ବୁଟକ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। “ଭୌଗୋଳିକ ସୂଚନା ପ୍ରଣାଳୀ (GIS), ରିମୋଟ୍ ସେନ୍ସିଂ ଏବଂ ଜିଓ-ଏଆଇ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରାୟ ୧୦୦ ଜଣ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
ଉଦ୍ଘାଟନୀ ସମାରୋହରେ ଟ୍ରାଇଡେଣ୍ଟ ଗ୍ରୁପ୍ର ସହ-ପ୍ରତିଷ୍ଠାତା ଡଃ ବିଶ୍ୱବିଜୟୀ ପାଣିଗ୍ରାହୀ ଯୋଗଦେଇ ଲାମ୍ ଟେକ୍ନୋଲୋଜି, ସିମୁଲେଟର ଏବଂ ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର୍ ରାଡାର୍ (NISAR) ର ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ। ଉପଗ୍ରହରୁ ମିଳୁଥିବା ତଥ୍ୟକୁ ଜିଆଇଏସ୍ ସହ ଯୋଡ଼ିପାରିଲେ ପ୍ରଶାସନିକ କାର୍ଯ୍ୟ ଆହୁରି ସହଜ ହୋଇପାରିବ ବୋଲି ସେ କହିଥିଲେ।

ଅନ୍ୟପଟେ ମୁଖ୍ୟ ବକ୍ତା ଭାବେ ବନ ସଂରକ୍ଷକ ଶ୍ରୀ କାର୍ତ୍ତିକ ଭି. ଯୋଗଦେଇ ଜଙ୍ଗଲ ପରିଚାଳନା, ନିଆଁ ରୋକିବା ଏବଂ ଗୁଗୁଲ୍ ଅର୍ଥ ଇଞ୍ଜିନ୍ର ବାସ୍ତବ ଉପଯୋଗ ଉପରେ ନିଜର ଅନୁଭୂତି ବାଣ୍ଟିଥିଲେ। ଏହି ଅବସରରେ “ରିମୋଟ୍ ସେନ୍ସିଂ, ଡ୍ରୋନ୍ ଓ ଜିଆଇଏସ୍” ଉପରେ ଏକ ସୂଚନା ପୁସ୍ତିକା ସହ ଏନ୍ଆଇସିର ମାସିକ ପତ୍ରିକା ‘ଦ ଆସେଣ୍ଡର’ (ନଭେମ୍ବର ୨୦୨୬) ଉନ୍ମୋଚିତ ହୋଇଥିଲା।
ବୈଷୟିକ ଅଧିବେଶନରେ ଡଃ ବିଜୟ ବୀର (ଭାରତ ମ୍ୟାପ୍ସ), ଶ୍ରୀ ଶୁଭଦର୍ଶୀ ମିଶ୍ର, ଶ୍ରୀ ଜୟନ୍ତ କୁମାର ମିଶ୍ର, ଶ୍ରୀ ଗୌତମ ବେହେରା (ପିଏମ୍ ଗତିଶକ୍ତି), ଶ୍ରୀ ନୀଳାଦ୍ରି ବିହାରୀ ମହାନ୍ତି ଓ ଶ୍ରୀ ରବୀନ୍ଦ୍ର ଚୌଧୁରୀ ନିଜ ନିଜର ବୈଷୟିକ ଉପସ୍ଥାପନା ରଖିଥିଲେ।
ଏନ୍ଆଇସି ଓଡ଼ିଶାର ଉପମହାନିର୍ଦ୍ଦେଶକ ଡଃ ଅଶୋକ କୁମାର ହୋତା ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ନିର୍ଦ୍ଦେଶିକା ଶ୍ରୀମତୀ ଶିୱାନୀ କୋରାହ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଅଂଶଗ୍ରହଣକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।



