ଭୁବନେଶ୍ୱର[News Inshot]:
ରାଜଧାନୀ ଭୁବନେଶ୍ୱରର ଅତ୍ୟନ୍ତ ବ୍ୟସ୍ତବହୁଳ ସିଆରପି (CRP) ଛକ ନିକଟରେ ଆଜି (ରବିବାର) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ ଓ ବେପରୁଆ ବସ୍ ରାସ୍ତା କଡ଼ରେ ଯାଉଥିବା ପାଦଚଲା ଲୋକଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି।
ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସ୍ଟି ଅତ୍ୟନ୍ତ ଦ୍ରୁତ ଗତିରେ ଆସୁଥିଲା ଏବଂ ନିୟନ୍ତ୍ରଣ ହରାଇ ପ୍ରଥମେ ଏକ କାର୍କୁ ଧକ୍କା ଦେଇଥିଲା। ଏହାପରେ ବସ୍ଟି ରାସ୍ତା କଡ଼ରେ ଯାଉଥିବା ପାଦଚାରୀଙ୍କ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ବସ୍ ଡ୍ରାଇଭର୍ ଜଣକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଫେରାର ବସ୍ ଓ ଡ୍ରାଇଭର୍କୁ ଚିହ୍ନଟ କରିବା ପାଇଁ ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରୁଛି।



