ଭୁବନେଶ୍ୱରରେ ଅଭାବନୀୟ ଘଟଣା: ବାଣୀବିହାର ନିକଟରେ ବଡ଼ ନାଳକୁ ଖସିପଡ଼ି ଯୁବକ ନିଖୋଜ
ଭୁବନେଶ୍ୱର:ରାଜଧାନୀରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶନିବାର ପ୍ରବଳ ବର୍ଷା ସମୟରେ ଭୁବନେଶ୍ୱର ବାଣୀବିହାର ସ୍କୋୟାର ନିକଟରେ ଥିବା ଏକ ବଡ଼ ନାଳରେ ଜଣେ ଯୁବକ ଖସିପଡ଼ି ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଜଣଙ୍କ ହେଲେ ୩୫ ବର୍ଷୀୟ ଅନିଲ ନାଏକ। ସେ ଜଣେ ବୋତଲ/ପ୍ଲାଷ୍ଟିକ ଗୋଟାଳି ବୋଲି ଜଣାପଡ଼ିଛି। ପ୍ରଖର ସ୍ରୋତରେ ସେ ଭାସି ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

Photo/Sai Saswat
ସୂଚନା ଅନୁଯାୟୀ, ଅନିଲ ଅନ୍ୟ ଜଣେ ସହଯୋଗୀଙ୍କ ସହ ମିଶି ଜାତୀୟ ରାଜପଥ-୧୬ ପାର୍ଶ୍ୱରେ ଥିବା ୧୦ ନମ୍ବର ଡ୍ରେନ୍ କଲଭର୍ଟ ନିକଟରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିଲେ। ଅପରାହ୍ନ ପ୍ରାୟ ୪ଟା ସମୟରେ ହଠାତ୍ ସେ ନାଳ ଭିତରକୁ ଖସି ପଡ଼ିଥିଲେ। ତାଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନାଳର ପ୍ରଖର ସ୍ରୋତ ଏବଂ ପ୍ରଚୁର ପ୍ଲାଷ୍ଟିକ ଆବର୍ଜନା ଯୋଗୁଁ ଅନିଲ ଭିତରେ ଫସି ଯାଇଥିଲେ।

Photo/Sai Saswat
ଘଟଣା ପରେ ଅଗ୍ନିଶମ ବାହିନୀ, ପୋଲିସ ଏବଂ ଭୁବନେଶ୍ୱର ମହାନଗର ନିଗମ (BMC) ର ଡ୍ରେନେଜ୍ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସହକାରୀ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ରାଉତଙ୍କ କହିବା ଅନୁସାରେ, ଡ୍ରେନ୍ ଭିତରେ ବହୁ ପରିମାଣର ପ୍ଲାଷ୍ଟିକ ଆବର୍ଜନା ଜମା ହୋଇ ରହିଥିବାରୁ ଏବଂ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଆବର୍ଜନା ସଫା କରିବା ପାଇଁ ଏକ ଜେସିବି (Excavator) ମେସିନର ସାହାଯ୍ୟ ନିଆଯାଉଛି।
ଏହି ଘଟଣା ସମ୍ପର୍କରେ ବିଏମସି କମିଶନର ଚଞ୍ଚଳ ରାଣା କହିଛନ୍ତି ଯେ, ଉକ୍ତ ୧୦ ନମ୍ବର ଡ୍ରେନ ଚାରିପାଖେ ବାରିକେଡ୍ କରାଯାଇଥିଲା। ବାରିକେଡ୍ ଭିତରକୁ ନଗଲେ ଏହା ସୁରକ୍ଷିତ ଥିଲା। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ପାଇଁ ସେହି ବାରିକେଡ୍କୁ ହଟାଯାଇଛି ଏବଂ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଏକାଧିକ ଟିମ୍ କାର୍ଯ୍ୟ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ୨୦୨୪ ମସିହାରେ ମଧ୍ୟ ୟୁନିଟ୍-୩ ଅଞ୍ଚଳରେ ଥିବା ୫ ନମ୍ବର ଡ୍ରେନର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ୬ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ରାଜଧାନୀରେ ବାରମ୍ବାର ଘଟୁଥିବା ଏଭଳି ଡ୍ରେନେଜ୍ ଦୁର୍ଘଟଣା ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି।

