ବାଲି ଦୁର୍ଘଟଣା: ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ଶାହାରୁଖ-କାଜୋଲଙ୍କ ଗୀତ ଦେଖି ଆଶ୍ୱସ୍ତି ପାଉଛନ୍ତି ଅଭିନେତ୍ରୀ ନୁସ୍ରତ୍ ଭରୁଚ୍ଛା
ଭୁବନେଶ୍ୱର: ବାଲିରେ ଏକ ଦୁର୍ଘଟଣାର ଶିକାର ହୋଇଥିବା ବଲିଉଡ୍ ଅଭିନେତ୍ରୀ ନୁସ୍ରତ୍ ଭରୁଚ୍ଛାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏକ ବଡ଼ ଅପ୍ଡେଟ୍ ସାମ୍ନାକୁ ଆସିଛି। ମେରୁଦଣ୍ଡରେ ସାଂଘାତିକ ଆଘାତ ଲାଗିବା ପରେ ତାଙ୍କର ସଫଳ ଅସ୍ତ୍ରୋପଚାର (Spine Surgery) ହୋଇଯାଇଛି ଏବଂ ବର୍ତ୍ତମାନ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।
ଅସ୍ତ୍ରୋପଚାର ପରବର୍ତ୍ତୀ ଯନ୍ତ୍ରଣା ଭିତରେ ମଧ୍ୟ ସେ ନିଜ ମନକୁ ହାଲୁକା କରିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ହସ୍ପିଟାଲ୍ ଶେଯରେ ଶୋଇ ଶାହାରୁଖ ଖାନ୍ ଓ କାଜୋଲଙ୍କ ଅଭିନୀତ ବହୁଚର୍ଚ୍ଚିତ ରୋମାଣ୍ଟିକ ଗୀତ ‘ଗେରୁଆ’ (Gerua) ଉପଭୋଗ କରୁଥିବା ନଜର ଆସିଛନ୍ତି। ଏହି ସମୟରେ ଡାକ୍ତର ଓ ନର୍ସମାନେ ମଧ୍ୟ ତାଙ୍କର ଯତ୍ନ ନେଉଥିବା ଦେଖିବାକୁ ମିଳିଛି।
ଏହି ଭିଡିଓ ସହ ନୁସ୍ରତ୍ ଏକ ଭାବପୂର୍ଣ୍ଣ କ୍ୟାପ୍ସନ୍ ଲେଖିଛନ୍ତି ଯେ, “ପରିସ୍ଥିତି ଧୀରେ ଧୀରେ ଭଲ ହୋଇଯାଏ… ଟିକେ ଟିକେ କରି, କିନ୍ତୁ ସବୁବେଳେ ଭଲ ହୁଏ। ମୁଁ ଧୀରେ ଧୀରେ ସୁସ୍ଥ ହେଉଛି ଏବଂ ଆଖିରେ ଅନେକ ସ୍ୱପ୍ନ ରଖି ଆଗକୁ ବଢ଼ୁଛି।”
ସୂଚନାଯୋଗ୍ୟ ଯେ, ବାଲିରେ ଛୁଟି କଟାଉଥିବା ସମୟରେ ତାଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା। ପ୍ରଥମେ ସେଠାରେ ଚିକିତ୍ସିତ ହେବା ପରେ, ପରେ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା ଯେଉଁଠାରେ ତାଙ୍କର ଜରୁରୀ ଅସ୍ତ୍ରୋପଚାର କରାଯାଇଛି। ତାଙ୍କର ଏହି ଲଢ଼େଇକୁ ଦେଖି ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।



