ଝିଅ ସୋନାକ୍ଷୀଙ୍କ ସପକ୍ଷରେ ବାହାରିଲେ ଶତ୍ରୁଘ୍ନ ସିହ୍ନା; କହିଲେ- ‘ଟ୍ରୋଲିଂ ପଛରେ ବିଜେପି IT ସେଲ୍ର ହାତ’
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ସୋସିଆଲ ମିଡିଆରେ ମିଳୁଥିବା କ୍ରମାଗତ ଟ୍ରୋଲିଂକୁ ନେଇ ଏବେ ମୁହଁ ଖୋଲିଛନ୍ତି ତାଙ୍କ ବାପା ବରିଷ୍ଠ ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନା। ଝିଅର ସପକ୍ଷରେ ବାହାରି ସେ ସିଧାସଳଖ ବିଜେପି IT ସେଲ୍ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ଏକ ସାକ୍ଷାତକାରରେ ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ, ସୋନାକ୍ଷୀଙ୍କ ବିରୋଧରେ ହେଉଥିବା ଏହି ଆକ୍ରମଣଗୁଡ଼ିକ ଆଦୌ ସ୍ୱାଭାବିକ ନୁହେଁ, ବରଂ ଏହା ଏକ ପ୍ଲାନ୍ କରାଯାଇଥିବା ‘ପେଡ୍ ଟ୍ରୋଲିଂ’ (ଟଙ୍କା ଦେଇ କରାଯାଉଥିବା ଆକ୍ରମଣ)। ବିଜେପି IT ସେଲ୍ ଦ୍ୱାରା ହିଁ ଏହି ସବୁ ନିୟନ୍ତ୍ରିତ ହେଉଛି। ଯେଉଁମାନେ ସୋନାକ୍ଷୀଙ୍କୁ ଟ୍ରୋଲ୍ କରୁଛନ୍ତି, ସେମାନେ ନିଜେ ବି ଜାଣିନାହାନ୍ତି ଯେ ସେମାନେ କ’ଣ ଲେଖୁଛନ୍ତି।
ଝାଡ଼ଖଣ୍ଡ ଆନ୍ଦୋଳନ ପ୍ରସଙ୍ଗରେ ସୋନାକ୍ଷୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଶତ୍ରୁଘ୍ନ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସୋନାକ୍ଷୀ ପୂର୍ବରୁ ବି ଛାତ୍ର ଆନ୍ଦୋଳନକୁ ସମ୍ପୂର୍ଣ୍ଣ ସମର୍ଥନ କରିସାରିଛନ୍ତି। ସୋନାକ୍ଷୀ ଏସବୁ ନକାରାତ୍ମକ କଥା ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଏବଂ ନିଜ କାମରେ ଆଗେଇ ଚାଲନ୍ତି।
ସୋନାକ୍ଷୀ ଭବିଷ୍ୟତରେ ରାଜନୀତିରେ ଯୋଗଦେବେ କି ନାହିଁ ବୋଲି ପଚରାଯିବାରୁ ଶତ୍ରୁଘ୍ନ କହିଛନ୍ତି, “ସେ ବିଷୟରେ ମୁଁ କିଛି କହିପାରିବି ନାହିଁ, କିନ୍ତୁ ସେ ଜଣେ ଅତ୍ୟନ୍ତ ଯୋଗ୍ୟ ବାପାଙ୍କର ଅତ୍ୟନ୍ତ ଯୋଗ୍ୟ ଝିଅ”।
ସୂଚନାଯୋଗ୍ୟ ଯେ, ସୋନାକ୍ଷୀ ନିକଟରେ OTT ଡ୍ରାମା ‘ସିଷ୍ଟମ’ରେ ନଜର ଆସିଥିଲେ। ଏବେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ଦାହାଡ଼ ସିଜନ୍ ୨’ର ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି।

