‘ତୁମେ ମୁସଲମାନ, ହେ ରାମ କହିପାରିବନି’: ସେନ୍ସର ବୋର୍ଡ ଅଟକାଇବା ପରେ ନେହେରୁଙ୍କୁ ଗୁହାରି କରିଥିଲେ ଦିଲୀପ କୁମାର
ଭାରତୀୟ ସିନେମା ଜଗତର ଅନ୍ୟତମ ଶ୍ରେଷ୍ଠ ଅଭିନେତା ଦିଲୀପ କୁମାରଙ୍କ ୧୯୬୧ର ପ୍ରସିଦ୍ଧ ସିନେମା ‘ଗଙ୍ଗା ଜମୁନା’କୁ ନେଇ ଏକ ରୋଚକ ଓ ଚର୍ଚ୍ଚିତ ସେନ୍ସର ବୋର୍ଡ ବିବାଦ ବର୍ତ୍ତମାନ ପୁଣି ସାମ୍ନାକୁ ଆସିଛି। ସିନେମା ନିର୍ମାତା ତିଗମାଂଶୁ ଧୁଲିଆ ଏକ କାର୍ଯ୍ୟକ୍ରମରେ ଏହି ପୁରୁଣା ଘଟଣାକୁ ସ୍ମରଣ କରିଛନ୍ତି।
ଫିଲ୍ମର ଏକ ଶେଷ ଦୃଶ୍ୟରେ ମୁଖ୍ୟ ଚରିତ୍ର ‘ଗଙ୍ଗା’ (ଦିଲୀପ କୁମାର) ମୃତ୍ୟୁବରଣ କରିବା ସମୟରେ “ହେ ରାମ” ବୋଲି କହିବାର ଦୃଶ୍ୟ ଥିଲା। ମାତ୍ର ତତ୍କାଳୀନ ସେନ୍ସର ବୋର୍ଡ ଏହି ଦୃଶ୍ୟ ଉପରେ କଡ଼ା ଆପତ୍ତି ଜଣାଇ ଫିଲ୍ମକୁ ଅଟକାଇ ଦେଇଥିଲା। ସେନ୍ସର ବୋର୍ଡର କହିବା କଥା ଥିଲା, “ତୁମେ ଜଣେ ମୁସଲମାନ, ତୁମେ ‘ହେ ରାମ’ କିପରି କହିପାରିବ?”
ଫିଲ୍ମ ନିର୍ମାତା ଓ ଦିଲୀପ କୁମାର ସେତେବେଳେ ଯୁକ୍ତି ଦର୍ଶାଇଥିଲେ ଯେ, ସେ ଫିଲ୍ମରେ ‘ଗଙ୍ଗା’ ନାମକ ଜଣେ ହିନ୍ଦୁ ଚରିତ୍ରରେ ଅଭିନୟ କରୁଛନ୍ତି, ତେଣୁ ସେହି ଚରିତ୍ର ମୁଖରୁ “ହେ ରାମ” ବାହାରିବା ସମ୍ପୂର୍ଣ୍ଣ ସ୍ୱାଭାବିକ। ମାତ୍ର ସେନ୍ସର ବୋର୍ଡ ଏହାକୁ ଗ୍ରହଣ କରିନଥିଲା।
ଶେଷରେ କୌଣସି ଉପାୟ ନପାଇ ଦିଲୀପ କୁମାର ସିଧାସଳଖ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ଯୋଗାଯୋଗ କରିଥିଲେ। ନେହେରୁ ନିଜେ ସିନେମାଟିକୁ ଦେଖିବା ପରେ ସେଥିରେ କୌଣସି ଆପତ୍ତିଜନକ କଥା ନଥିବା ସ୍ପଷ୍ଟ କରିଥିଲେ ଏବଂ ଫିଲ୍ମଟିକୁ ରିଲିଜ୍ ପାଇଁ ଅନୁମତି ମିଳିଥିଲା। ପରବର୍ତ୍ତୀ ସମୟରେ ‘ଗଙ୍ଗା ଜମୁନା’ ଭାରତୀୟ ସିନେମାର ଏକ ସୁପରହିଟ୍ ଫିଲ୍ମ ଭାବେ ଗଣିତ ହୋଇଥିଲା।

