‘Tenfa’: The Kinnauri Film Born from a Midwife’s Legacy/ମାତୃଭାଷା ବଞ୍ଚାଇବାକୁ ସିନେମା: ‘ଟେନଫା’ ପଛର ପ୍ରେରଣାଦାୟୀ କାହାଣୀ

ପାହାଡ଼ ଚଢ଼ି ପ୍ରସବ କରାଉଥିଲେ ପିଉସୀ, ସେହି ସ୍ମୃତିକୁ ନେଇ ନିର୍ଦ୍ଦେଶିକା ନିହାରିକା ଗଢ଼ିଲେ ଚଳଚ୍ଚିତ୍ର ‘ଟେନଫା’

ନୂଆଦିଲ୍ଲୀ:
ହିମାଚଳ ପ୍ରଦେଶର ଦୁର୍ଗମ କିନ୍ନୌର ଉପତ୍ୟକାର ଗୋଟିଏ ସାନ ଗାଁ। ଚାରିପାଖରେ ବଡ଼ ବଡ଼ ପାହାଡ଼, ନା ଅଛି ଭଲ ରାସ୍ତା ନା ଡାକ୍ତରଖାନା। ବର୍ଷ ବର୍ଷ ତଳେ ଏହି ପାହାଡ଼ିଆ ରସ୍ତାରେ ପ୍ରାୟ ଘଣ୍ଟାଏ ଚାଲି ଚାଲି ଯାଇ ଗର୍ଭବତୀ ମହିଳାଙ୍କ ପ୍ରସବ କରାଉଥିଲେ ଜଣେ ଧାତ୍ରୀ (ମିଡ୍‌ୱାଇଫ୍)। ସେ ଥିଲେ ନିର୍ଦ୍ଦେଶିକା ନିହାରିକା ନେଗୀଙ୍କ ପିଉସୀ ଡୋଲମା। ଆଜି ସେହି ନିଜ ପରିବାରର ସ୍ମୃତି ଏବଂ ନିଜ ମାତୃଭାଷାକୁ ବଞ୍ଚାଇବା ପାଇଁ ନିହାରିକା ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ସିନେମା ‘ଟେନଫା’ (Tenfa)।
ଏହି ସିନେମାଟି କେବଳ ଗୋଟିଏ କାହାଣୀ ନୁହେଁ, ବରଂ ହଜିଯାଉଥିବା ‘କିନ୍ନୌରୀ’ ଭାଷା ଏବଂ ସଂସ୍କୃତିକୁ ସାଉଁଟି ରଖିବାର ଏକ ଅନନ୍ୟ ପ୍ରୟାସ। ବିଶେଷ କଥା ହେଉଛି, ଏହା କିନ୍ନୌରୀ ଭାଷାରେ ନିର୍ମିତ ପ୍ରଥମ କାହାଣୀ-ଭିତ୍ତିକ ଚଳଚ୍ଚିତ୍ର।
ସିନେମାରେ କୌଣସି ବାହାର ପେସାଦାର କଳାକାର ନାହାନ୍ତି; ନିହାରିକା ନିଜ ଗାଁର ଲୋକଙ୍କୁ ଏବଂ ନିଜ ପରିବାରର ସଦସ୍ୟଙ୍କୁ ନେଇ ଏହାକୁ ସୁଟିଂ କରିଛନ୍ତି। ପାହାଡ଼ି ଗାଁର ମହିଳାମାନେ କିପରି ସମସ୍ତ ବିପଦ ସତ୍ତ୍ୱେ ପରସ୍ପରକୁ ସାହାଯ୍ୟ କରନ୍ତି ଏବଂ ଗାଁର ପରମ୍ପରାକୁ ବଞ୍ଚାଇ ରଖିଛନ୍ତି, ତାହା ଏଥିରେ ଖୁବ୍ ସୁନ୍ଦର ଭାବେ ଦେଖାଯାଇଛି।
‘ଟେନଫା’ କ’ଣ?
କିନ୍ନୌରୀ ଭାଷାରେ ‘ଟେନଫା’ର ଅର୍ଥ ହେଉଛି ବୟସ୍କଙ୍କଠାରୁ ମିଳୁଥିବା ଔଷଧୀୟ ଗଛ ବା ଉପହାର। ଏହି ଛୋଟ ଚଳଚ୍ଚିତ୍ରଟି ଏବେ ଦେଶବିଦେଶର ବିଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ପ୍ରଶଂସା ସାଉଁଟୁଛି। ନିହାରିକାଙ୍କ ଏହି ପ୍ରୟାସ ଦର୍ଶାଉଛି ଯେ, ଆମର ଆଞ୍ଚଳିକ ଭାଷା ଓ ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ସିନେମା ଏକ ବଳିଷ୍ଠ ମାଧ୍ୟମ ହୋଇପାରେ।

Leave a Reply

Your email address will not be published. Required fields are marked *