SC Quashes Criminal Complaint Against Rahul Gandhi Over Savarkar Remarks/ସାଭରକରଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ମାମଲା: ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି, ଅପରାଧିକ ମାମଲାକୁ ରଦ୍ଦ କଲେ ସୁପ୍ରିମକୋର୍ଟ..

ସାଭରକରଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ମାମଲା: ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି, ଅପରାଧିକ ମାମଲାକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ବୀର ସାଭରକରଙ୍କ ବିରୋଧରେ କଥିତ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ସାଂସଦ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଉତ୍ତରପ୍ରଦେଶର ଏକ ଅଦାଲତରେ ପେଣ୍ଡିଂ ଥିବା ବ୍ୟକ୍ତିଗତ ଅପରାଧିକ ଅଭିଯୋଗ (Private Criminal Complaint) ଏବଂ ଜାରି ହୋଇଥିବା ସମନକୁ ସୁପ୍ରିମକୋର୍ଟ ରଦ୍ଦ (Quash) କରିଦେଇଛନ୍ତି।
ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ଶୀଲ ନାଗୁଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଆଇନଗତ ନିୟମ ଅନୁଯାୟୀ ଏହି ମାମଲାରେ ଯେଉଁ ଆବଶ୍ୟକ ସରକାରୀ ମଞ୍ଜୁରୀ (Sanction) ମିଳିବା କଥା, ତାହା ନିଆଯାଇ ନାହିଁ।
ଶୁଣାଣି ସମୟରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସୋଲିସିଟର ଜେନେରାଲ ଏବଂ ଅଭିଯୋଗକାରୀଙ୍କ ଓକିଲ ଆଫିଡେଭିଟ୍ ଜରିଆରେ ସ୍ୱୀକାର କରିଥିଲେ ଯେ, ଏହି ମାମଲାରେ କୌଣସି ସରକାରୀ ଅନୁମୋଦନ ପ୍ରଦାନ କରାଯାଇ ନାହିଁ।
ଏହି ତଥ୍ୟକୁ ଆଧାର କରି ଖଣ୍ଡପୀଠ ନିଜ ନିର୍ଦ୍ଦେଶରେ କହିଛନ୍ତି, “ସରକାରୀ ମଞ୍ଜୁରୀ ନଥିବା କାରଣରୁ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ସମନ ଏବଂ ସମ୍ପୂର୍ଣ୍ଣ ଅଭିଯୋଗ ରଦ୍ଦ କରାଗଲା।”

କ’ଣ ଥିଲା ପୂରା ମାମଲା?

୨୦୨୨ ନଭେମ୍ବର ୧୭ ରେ ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ରାହୁଲ ଗାନ୍ଧୀ ହିନ୍ଦୁତ୍ୱବାଦୀ ନେତା ଭି.ଡି. ସାଭରକରଙ୍କୁ ବ୍ରିଟିଶମାନଙ୍କ ସହଯୋଗୀ ବୋଲି କହିବା ସହ ସେ ବ୍ରିଟିଶ ସରକାରଙ୍କଠାରୁ ପେନସନ ପାଉଥିଲେ ବୋଲି ବକ୍ତବ୍ୟ ଦେଇଥିଲେ।
ଏହି ବକ୍ତବ୍ୟକୁ ନେଇ ଓକିଲ ନୃପେନ୍ଦ୍ର ପାଣ୍ଡେ ଉତ୍ତରପ୍ରଦେଶର ଏକ ମାଜିଷ୍ଟ୍ରେଟ୍ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଧାର୍ମିକ/ସାମାଜିକ ଶାନ୍ତି ଭଙ୍ଗ କରିବା (IPC Section 153A) ଏବଂ ସାମାଜିକ ବିଭେଦ ସୃଷ୍ଟି କରିବା (IPC Section 505) ଅଭିଯୋଗରେ ଏକ ମାମଲା ରୁଜୁ କରିଥିଲେ। ଏହାପରେ ମାଜିଷ୍ଟ୍ରେଟ୍ କୋର୍ଟ ରାହୁଲଙ୍କୁ ସମନ ଜାରି କରିଥିଲେ। ଏହି ସମନକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *