Odisha Flood Relief: CM Mohan Majhi Announces ₹1,000 Crore 10-Point Package/”ଅର୍ଥ ବାଧକ ସାଜିବନି”: ବନ୍ୟାଞ୍ଚଳ ପାଇଁ ୧୦୦୦ କୋଟିର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବନ୍ୟା ପ୍ରଭାବିତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ରାଜ୍ୟରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ୟା ପ୍ରଭାବିତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଗତକାଲି ଯାଜପୁର ଓ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ପରେ, ଆଜି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ଏହି ଦଶସୂତ୍ରୀ ପ୍ୟାକେଜ୍‌ ବିଷୟରେ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଏକ ପ୍ରାରମ୍ଭିକ ଆକଳନ। କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଆବଶ୍ୟକ ପଡ଼ିଲେ ସହାୟତା ପରିମାଣ ଆହୁରି ବୃଦ୍ଧି କରାଯିବ। ବନ୍ୟାଞ୍ଚଳରେ ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ ଅର୍ଥ କେବେ ବି ପ୍ରତିବନ୍ଧକ ହେବ ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ଦଶସୂତ୍ରୀ ପ୍ୟାକେଜ୍‌ର ମୁଖ୍ୟ ପଏଣ୍ଟ:
  • କୃଷି ଇନପୁଟ୍‌ ସବସିଡି: ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ, ଚାଷୀଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ କ୍ଷତିପୂରଣ ମିଳିବ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ₹୮,୫୦୦, ଜଳସେଚିତ ଜମି ପାଇଁ ₹୧୭,୦୦୦ ଏବଂ ବାରମାସୀ ଫସଲ ପାଇଁ ₹୨୨,୫୦୦ ସହାୟତା ଦିଆଯିବ।
  • ବିହନ ଓ ମିନିକିଟ୍‌: DBT ମାଧ୍ୟମରେ ଚାଷୀଙ୍କୁ ଧାନ ଓ ବିରି ବିହନ କିଣିବା ପାଇଁ ଅର୍ଥ ଯୋଗାଇ ଦିଆଯିବ। ଏହାସହ ମାଗଣାରେ ପନିପରିବା ମିନିକିଟ୍‌ ଏବଂ କୀଟନାଶକ ପାଇଁ ୭୫% ସବସିଡି ମିଳିବ।
  • ଋଣ ସୁବିଧା: ଚାଷୀଙ୍କ ସ୍ୱଳ୍ପ ମିଆଦୀ ଖରିଫ୍‌ ଋଣକୁ ମଧ୍ୟମ ଅବଧି ଋଣରେ ପରିଣତ କରାଯିବ।
  • ଜୀବିକା ଓ ଭିତ୍ତିଭୂମି ସହାୟତା: କ୍ଷତିଗ୍ରସ୍ତ ଉଠା ଜଳସେଚନ ପଏଣ୍ଟ, ରାସ୍ତାଘାଟ ଓ କେନାଲ ବନ୍ଧକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବ। ବୁଣାକାର ଓ ହସ୍ତଶିଳ୍ପୀଙ୍କୁ ଯନ୍ତ୍ରପାତି ଓ କଞ୍ଚାମାଲ କ୍ଷତି ବାବଦକୁ ₹୧୦,୦୦୦ ପର୍ଯ୍ୟନ୍ତ ସହାୟତା ମିଳିବ।
  • ପ୍ରାଣିସମ୍ପଦ ଓ ରିଲିଫ୍‌: ଗୃହପାଳିତ ପଶୁ, ଡଙ୍ଗା, ଜାଲ ଓ ପୋଖରୀ ନଷ୍ଟ ପାଇଁ କ୍ଷତିପୂରଣ ସହ ପ୍ରଭାବିତ ପରିବାରଙ୍କୁ ବାସନ, ବସ୍ତ୍ର, ଚାଉଳ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଗତ ୩ ମାସରେ ୧୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ ୩୪% ଅଧିକ ଏବଂ ଗତ ୨୫ ବର୍ଷରେ ସର୍ବାଧିକ। ଏହି ବନ୍ୟାରେ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ କେନ୍ଦ୍ରାପଡ଼ାର ୭୪ଟି ବ୍ଲକ୍‌ର ପ୍ରାୟ ୯.୪୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ODRAF, NDRF ଓ ଅଗ୍ନିଶମ ବାହିନୀର ବହୁ ଟିମ୍‌ ନିୟୋଜିତ ଅଛନ୍ତି।

Leave a Reply

Your email address will not be published. Required fields are marked *