ସ୍ଵେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ୍
ଭୁବନେଶ୍ୱର:
ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ତଥା ୨୦୦୧ ବ୍ୟାଚ୍ର ଆଇଏଏସ୍ ଅଫିସର ଆର୍. ଏସ୍. ଗୋପାଳନ୍ ସରକାରୀ ସେବାରୁ ସ୍ଵେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ରାଜ୍ୟରେ ନିକଟରେ ଶେଷ ହୋଇଥିବା ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ପରେ ପରେ ଗୋପାଳନ୍ଙ୍କ ଏହି ନିଷ୍ପତ୍ତି ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି।
ତେବେ ଏହି ନିଷ୍ପତ୍ତିକୁ ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ଦେଇ ଗୋପାଳନ୍ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ଏବଂ ପରିବାରଗତ କାରଣ। ଏହା ସହିତ SIR ପ୍ରକ୍ରିୟା କିମ୍ବା କୌଣସି ବିବାଦ ସହ ଏହାର କୌଣସି ସମ୍ପର୍କ ନାହିଁ। ସେ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ତୁଲାଇଛନ୍ତି ଏବଂ ଆଗାମୀ ଦିନରେ ନିଜ ବ୍ୟକ୍ତିଗତ ଜୀବନ ଓ ପରିବାରକୁ ସମୟ ଦେବାକୁ ଚାହୁଁଛନ୍ତି।
ଅପରପକ୍ଷରେ, SIR ପ୍ରକ୍ରିୟା ଶେଷ ହେବା ମାତ୍ରେ ଏପରି ନିଷ୍ପତ୍ତିକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଥିବା ବେଳେ ଗୋପାଳନ୍ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ପ୍ରକାଶଥାଉ କି, ୨୦୨୮ ଜୁନ୍ରେ ତାଙ୍କର ଚାକିରି କାଳ ଶେଷ ହେବାର ଥିଲା, ମାତ୍ର ସେ ପୂର୍ବରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।



