ନିଠାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା: ହରିଦ୍ୱାରର ଚା ଦୋକାନରୁ ମିଳିଲା ଝୁଲନ୍ତା ଶବ
ଚର୍ଚ୍ଚିତ ନିଠାରୀ ସିରିଏଲ କିଲିଂ ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲି ଆତ୍ମହତ୍ୟା କରିଛନ୍ତି। ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ଭୂପତୱାଲା ଅଞ୍ଚଳରେ ଥିବା ନିଜ ଚା ଦୋକାନ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
ପୋଲିସର ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ କୋଲିଙ୍କୁ ଦୋକାନ ଭିତରେ ଫାସୀ ଲଗାଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ କୌଣସି ସୁସାଇଡ୍ ନୋଟ୍ ମିଳିନଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।
୨୦୦୬ ମସିହାରେ ନୋଏଡାର ନିଠାରୀ ଗାଁରେ ଅନେକ ନାବାଳକ, ନାବାଳିକା ଓ ମହିଳାଙ୍କ କଙ୍କାଳ ଜବତ ହେବା ପରେ ଏହି ନୃଶଂସ ଘଟଣା ସାମ୍ନାକୁ ଆସିଥିଲା। ଏହି ମାମଲାରେ ସୁରେନ୍ଦ୍ର କୋଲିଙ୍କୁ ନିମ୍ନ ଅଦାଲତ ଅନେକ ମାମଲାରେ ଫାଶୀ ଦଣ୍ଡାଦେଶ ଦେଇଥିଲେ। ତେବେ ତଦନ୍ତରେ ତ୍ରୁଟି ଓ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ୨୦୨୩ରେ ଆଲାହାବାଦ ହାଇକୋର୍ଟ ଏବଂ ୨୦୨୫ ନଭେମ୍ବରରେ ସୁପ୍ରିମକୋର୍ଟ ତାଙ୍କୁ ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଜେଲରୁ ମୁକ୍ତ ହେବା ପରେ ସେ ହରିଦ୍ୱାରରେ ରହି ଏକ ଛୋଟ ଚା ଦୋକାନ ଚଲାଉଥିଲେ।

