୨୬ ଟଙ୍କାର ଅର୍ଡରରେ ୩୦ ଟଙ୍କା GST! ସ୍ୱିଗିର ହିସାବ ଶୁଣି ହସିବେ ନା କାନ୍ଦିବେ?
ଆଜିକାଲି ଅନଲାଇନ୍ରେ ଖାଦ୍ୟ ମଗାଇବା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ନିକଟରେ ସ୍ୱିଗି (Swiggy) ର ଜଣେ ଗ୍ରାହକଙ୍କ ସହ ଏପରି କିଛି ଘଟିଛି, ଯାହା ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚାର ବିଷୟ ପାଲଟିଛି।
ଜଣେ ବ୍ୟକ୍ତି ସ୍ୱିଗିରୁ ମାତ୍ର ୨୬ ଟଙ୍କାର ଅର୍ଡର କରିଥିଲେ। କିନ୍ତୁ ବିଲ୍ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କାରଣ ସେଥିରେ ୩୦ ଟଙ୍କାର GST (ଜିଏସଟି) ଯୋଡ଼ା ଯାଇଥିଲା। ଅର୍ଥାତ୍ ଖାଦ୍ୟର ଦାମ୍ଠାରୁ ଟିକସର ପରିମାଣ ଅଧିକ! ଏହାକୁ ନେଇ ସମ୍ପୃକ୍ତ ଗ୍ରାହକ ଜଣକ ଅସନ୍ତୋଷ ପ୍ରକାଶ କରି ସୋସିଆଲ ମିଡିଆରେ ସ୍ୱିଗିକୁ ପ୍ରଶ୍ନ ପଚାରିଥିଲେ।
ସ୍ୱିଗିର ସଫେଇ:
ଏହି ଅସନ୍ତୋଷ ପରେ ସ୍ୱିଗି କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସ୍ୱିଗି କହିଛି ଯେ, GST ର ହିସାବ ଗ୍ରାହକ ପାଉଥିବା ‘ଅଫର’ କିମ୍ବା ‘ଡିସକାଉଣ୍ଟ’ ପରର ଦାମ୍ ଉପରେ ହୋଇନଥାଏ। ଏହା ଖାଦ୍ୟର ଅସଲି ଦାମ୍ (Original Price) ଉପରେ କାଟାଯାଏ।
ଉଦାହରଣ ସ୍ୱରୂପ, ଯଦି କୌଣସି ଖାଦ୍ୟର ଅସଲି ଦାମ୍ ୬୦୦ ଟଙ୍କା ହୋଇଥାଏ ଏବଂ କୁପନ୍ ଆପ୍ଲାଇ କରିବା ପରେ ଗ୍ରାହକଙ୍କୁ ତାହା ୨୬ ଟଙ୍କାରେ ମିଳେ, ତଥାପି ନିୟମ ଅନୁସାରେ GST ସେହି ୬୦୦ ଟଙ୍କା ଉପରେ ହିଁ ଲାଗିବ। ଏହାସହ ଡେଲିଭରୀ ଚାର୍ଜ, ପ୍ଲାଟଫର୍ମ ଫି’ ଏବଂ ପ୍ୟାକିଂ ଚାର୍ଜ ଉପରେ ଲାଗୁଥିବା ଟିକସ ମିଶି ଏହି ବିଲ୍ ବଢ଼ିଯାଏ।
ସରକାରୀ ଜିଏସଟି ନିୟମ ଅନୁସାରେ କମ୍ପାନୀ ନିଜ ସଫେଇ ଦେଇଥିଲେ ବି, ଗ୍ରାହକମାନେ ଏପରି ବିଲିଂ ସିଷ୍ଟମ୍କୁ ନେଇ ଏବେ ବି ଦ୍ୱନ୍ଦ୍ୱରେ ଅଛନ୍ତି।

