୭.୮% ଜିଡିପି ବୃଦ୍ଧିକୁ ନେଇ ସ୍ପଷ୍ଟୀକରଣ ରଖିଲା ମନ୍ତ୍ରଣାଳୟ: ‘ସଂଖ୍ୟାରେ କୌଣସି ହେରଫେର୍ ହୋଇନାହିଁ’
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ-ଜୁନ୍) ରେ ଭାରତର ଜିଡିପି (GDP) ବୃଦ୍ଧି ହାର ୭.୮% ରହିବାକୁ ନେଇ ଚାଲିଥିବା ଚର୍ଚ୍ଚା ଓ ସମାଲୋଚନା ଉପରେ କେନ୍ଦ୍ର ସାଂଖ୍ୟିକୀ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (MoSPI) ରବିବାର ଏକ ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି। ମନ୍ତ୍ରଣାଳୟ ସ୍ପଷ୍ଟ ଭାବେ କହିଛି ଯେ ୭.୮% ଜିଡିପି ବିକାଶ ହାର ସମ୍ପୂର୍ଣ୍ଣ ଭାବେ ବୈଜ୍ଞାନିକ ଏବଂ ଆନ୍ତର୍ଜାତୀୟ ନିୟମ ଅନୁସାରେ ହିସାବ କରାଯାଇଛି। ଏଥିରେ କୌଣସି ପ୍ରକାରର କୃତ୍ରିମ ବୃଦ୍ଧି କିମ୍ବା ହେରଫେର୍ କରାଯାଇନାହିଁ।
ମୁଖ୍ୟ ବିବାଦର ଦୁଇଟି ପ୍ରମୁଖ କାରଣ:
-
୧. ବେସ୍-ଇୟର (Base-Year) ଏବଂ ଆକଳନରେ ହେରଫେର୍ ଅଭିଯୋଗ: ସମାଲୋଚକମାନଙ୍କ ଅଭିଯୋଗ ଥିଲା ଯେ ସରକାର ଗତବର୍ଷର (Q1) ଜିଡିପି ଆକଳନକୁ ₹୮୬.୦୫ ଲକ୍ଷ କୋଟିରୁ କମାଇ ₹୮୦.୦୦ ଲକ୍ଷ କୋଟି କରିଦେଲେ। ଗତବର୍ଷର ଆକଳନ (Base) କମିଯିବାରୁ ଏବର୍ଷର ବୃଦ୍ଧି ହାର (୭.୮%) ଆପେ ଆପେ ଅଧିକ ଦେଖାଗଲା। ସେମାନଙ୍କ ଦାବି ଅନୁସାରେ ପ୍ରକୃତ ବୃଦ୍ଧି ହାର ବହୁତ କମ୍ ଥିଲା।
-
୨. ମାନୁଫାକ୍ଚରିଂ (ଉତ୍ପାଦନ) କ୍ଷେତ୍ରର ସଂଖ୍ୟାରେ ଗଡ଼ବଡ଼: ଅର୍ଥଶାସ୍ତ୍ରୀମାନେ ପ୍ରଶ୍ନ ଉଠାଇଥିଲେ ଯେ ମାନୁଫାକ୍ଚରିଂ କ୍ଷେତ୍ରରେ ପ୍ରକୃତ (Real) ବୃଦ୍ଧି ୯.୨% ଦେଖାଯାଇଥିବା ବେଳେ ନାମମାତ୍ର (Nominal) ବୃଦ୍ଧି ୭.୭% ଥିଲା। ଅର୍ଥାତ୍ ମୁଦ୍ରାସ୍ଫୀତି/ଦରଦାମ୍ ସୂଚକାଙ୍କ ମାଇନସ୍ (-୧.୫%) ରେ ଥିଲା, ଯାହା ସାଧାରଣତଃ ଦେଖିବାକୁ ମିଳେନାହିଁ।
ସରକାରଙ୍କ କହିବା କଥା, ଦେଶର ଅର୍ଥନୀତି ସଠିକ୍ ବାଟରେ ଆଗକୁ ବଢ଼ୁଛି ଏବଂ ସମସ୍ତ ଗଣନା ଜାତୀୟ ଓ ଆନ୍ତର୍ଜାତୀୟ ସାଂଖ୍ୟିକୀ ମାନଦଣ୍ଡ ଅନୁସାରେ କରାଯାଇଛି।

