ଇଭିଏମ୍ ଭୋଟ୍ ଗଣତିରେ ‘ଟୋଟଲାଇଜର୍’ ବ୍ୟବହାର: କେନ୍ଦ୍ର ଓ ନିର୍ବାଚନ କମିଶନଙ୍କ ଜବାବ ମାଗିଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ:
ଇଭିଏମ୍ (EVM) ଗଣତି ପ୍ରକ୍ରିୟାରେ ‘ଟୋଟଲାଇଜର୍’ (Totaliser) ମେସିନ୍ ବ୍ୟବହାର କରାଯିବ କି ନାହିଁ, ସେ ନେଇ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା ମାଗିଛନ୍ତି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
‘ଟୋଟଲାଇଜର୍’ ମେସିନ୍ କ’ଣ?
ସାଧାରଣତଃ ଏବେ ପ୍ରତିଟି ବୁଥ୍ର ଇଭିଏମ୍କୁ ଆଲଗା ଆଲଗା ଗଣାଯାଏ। କିନ୍ତୁ ‘ଟୋଟଲାଇଜର୍’ ମେସିନ୍ ସାହାଯ୍ୟରେ ପାଖାପାଖି ୧୪ଟି ଇଭିଏମ୍କୁ ଏକାଠି ଯୋଡ଼ି ଗୋଟିଏ ଗ୍ରୁପ୍ ଭାବେ ଭୋଟ୍ ଗଣାଯାଇପାରିବ।
ଏହାର ଫାଇଦା କ’ଣ?
ଆବେଦନକାରୀଙ୍କ ଯୁକ୍ତି ଅନୁଯାୟୀ, ବୁଥ୍-ୱାରୀ (Booth-wise) ଭୋଟ୍ ଗଣତି ହେବା ଦ୍ୱାରା କେଉଁ ସାହି, ଗାଁ କିମ୍ବା ବୁଥ୍ରୁ କେଉଁ ପ୍ରାର୍ଥୀଙ୍କୁ କେତେ ଭୋଟ୍ ମିଳିଲା, ତାହା ସହଜରେ ଜଣାପଡ଼ିଯାଏ। ଏହାଯୋଗୁଁ ନିର୍ବାଚନ ପରେ ଅନେକ ସମୟରେ ରାଜନୈତିକ ହିଂସା, ଗାଁ ଲୋକଙ୍କୁ ଧମକଚମକ ଓ ଭୋଟରଙ୍କ ପ୍ରତି ପକ୍ଷପାତ ହେବାର ଭୟ ରହେ। ଟୋଟଲାଇଜର୍ ବ୍ୟବହାର ହେଲେ କେଉଁ ବୁଥ୍ରୁ କାହାକୁ କେତେ ଭୋଟ୍ ମିଳିଲା ତାହା ଜଣାପଡ଼ିବ ନାହିଁ, ଯାହା ଭୋଟରଙ୍କ ଗୋପନୀୟତା ରକ୍ଷା କରିବ।
କୋର୍ଟ ଓ ନିର୍ବାଚନ କମିଶନଙ୍କ ମତ:
ଅପରପକ୍ଷରେ, ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ଏପରି ନୂଆ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଇନଗତ ନିୟମରେ ପରିବର୍ତ୍ତନ ଆବଶ୍ୟକ। ସେହିପରି ଅଧିକାଂଶ ରାଜନୈତିକ ଦଳ ମଧ୍ୟ ପୂର୍ବରୁ ଏହି ବ୍ୟବସ୍ଥାକୁ ବିରୋଧ କରିସାରିଛନ୍ତି।
ସୁପ୍ରିମ୍ କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଆସନ୍ତା ୪ ସପ୍ତାହ ମଧ୍ୟରେ ନିଜର ଆଫିଡେଭିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

