ଓଡ଼ିଆରେ ବନ୍ୟା ବିପତ୍ତି ଆସିଲେ ମନେପଡ଼ନ୍ତି ଗୋପବନ୍ଧୁ
ଓଡ଼ିଆ ରେ ବନ୍ୟା ବିପତି ଆସିଲେ ମନେପଡ଼ନ୍ତି ଗୋପବନ୍ଧୁ…। ନଦୀର କୂଳଙ୍ଘୀ ପାଣି ଗାଁ ଗଣ୍ଡା ବୁଡ଼ାଇଦେଲେ, ଘରଦ୍ୱାର ଭାସିଗଲେ ଏବଂ ଲୋକେ ଗଛମୂଳେ କିମ୍ବା ଆଶ୍ରୟସ୍ଥଳୀରେ ବୁନ୍ଦାଏ ପାଣି ଓ ଆଞ୍ଛୁଡ଼େ ଚୂଡ଼ା ପାଇଁ ଚାହିଁ ରହିଲେ, ସବୁ ଓଡ଼ିଆଙ୍କ ମନସ୍କଚକ୍ଷୁରେ ଭାସିଉଠେ ଗୋଟିଏ ନାମ— ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ।
ଓଡ଼ିଶା ଓ ବନ୍ୟାର ସମ୍ପର୍କ ଅନେକ ପୁରୁଣା। କିନ୍ତୁ ବନ୍ୟାର ସେହି କରାଳ ରୂପ ଭିତରେ ମାନବିକତାର ସବୁଠାରୁ ଉଜ୍ଜ୍ୱଳ ପ୍ରତୀକ ଭାବେ ଉଭା ହୋଇଥିଲେ ଗୋପବନ୍ଧୁ। ବନ୍ୟାପୀଡ଼ିତଙ୍କ ଆର୍ତ୍ତଚୀତ୍କାର ତାଙ୍କୁ ଘରେ ବସିବାକୁ ଦେଉନଥିଲା। ଡଙ୍ଗା ବାହି, ବେକାବଡ଼େ ପାଣିରେ ଚାଲି ଚାଲି ସେ ଯେଉଁଭାଳି ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଉଥିଲେ, ତାହା ଆଜି ବି ଗାଁ ଗାଁରେ ଲୋକକଥା ହୋଇ ରହିଛି।
ଗୋପବନ୍ଧୁଙ୍କ ବନ୍ୟା ସେବାର ଅମର କାହାଣୀ ଶୁଣିଲେ ଆଜି ବି ଆଖି ଭିଜିଯାଏ। ଥରେ ଓଡ଼ିଶାରେ ପ୍ରଳୟଙ୍କରୀ ବନ୍ୟା ଆସିଥାଏ। ହଜାର ହଜାର ଲୋକ ଜଳବନ୍ଦୀ ହୋଇ ଜୀବନ ସହ ସଂଗ୍ରାମ କରୁଥାନ୍ତି। ଠିକ୍ ସେତିକି ବେଳେ ଗୋପବନ୍ଧୁଙ୍କ ନିଜ ପୁଅ ଗୁରୁତର ଅସୁସ୍ଥ ହୋଇ ପଡ଼ିଥାଏ।ପରିବାରର ଲୋକେ ତାଙ୍କୁ ଅନୁରୋଧ କରିଥିଲେ— “ପୁଅର ସେବା ପାଇଁ ଘରେ ରହିଯାଅ,ମାତ୍ର ହୃଦୟବାନ୍ ଗୋପବନ୍ଧୁ ଉତ୍ତର ଦେଇଥିଲେ:
“ମୋ ପୁଅକୁ ଦେଖିବା ପାଇଁ ଘରେ ଅନେକ ଅଛନ୍ତି। କିନ୍ତୁ ବନ୍ୟାଞ୍ଚଳରେ ହଜାର ହଜାର ଅନାଥ, ନିରାଶ୍ରୟ ଲୋକ ମୋତେ ଚାହିଁ ବସିଛନ୍ତି। ସେମାନଙ୍କ ସେବା ମୋର ପ୍ରଥମ କର୍ତ୍ତବ୍ୟ।”
ସେ ବନ୍ୟାଞ୍ଚଳକୁ ବାହାରିଗଲେ, ଏବଂ ସେପଟେ ତାଙ୍କ ପୁଅ ଚାଲିଗଲା। ନିଜ କଳେଜା ଟୁକୁଡ଼ାର ଶେଷ ଦର୍ଶନ ନକରି ଅନ୍ୟର ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦେବାର ଏହି ବିରଳ ସମର୍ପଣ ବିଶ୍ୱ ଇତିହାସରେ ଅତୁଳନୀୟ।
ବନ୍ୟା ବିପତ୍ତି ସମୟରେ କେବଳ ଭାଷଣ ନୁହେଁ, କାର୍ଯ୍ୟରେ ସେବା କରିବା ଥିଲା ତାଙ୍କର ଶୈଳୀ। ସେ ପୁରୀ ସେବା ସମିତି ଗଠନ କରିଥିଲେ। ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ରମାନଙ୍କୁ ସାଙ୍ଗରେ ନେଇ ନିଜେ ଡଙ୍ଗା ବାହି ବନ୍ୟା ପ୍ରଭାବିତ ଦୁର୍ଗମ ଅଞ୍ଚଳରେ ପହଞ୍ଚୁଥିଲେ। ଚାଉଳ, ଚୂଡ଼ା, ଲୁଗାପଟା ଓ ଓଷଧ ବାଣ୍ଟି ବିପନ୍ନଙ୍କ ମୁହଁରେ ଆହାର ଯୋଗାଉଥିଲେ।
୧୯୧୯ ମସିହାରେ ଗୋପବନ୍ଧୁ ‘ସମାଜ’ ସମ୍ବାଦପତ୍ର ଆରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଶାର ବନ୍ୟା ଓ ଦୁର୍ଭିକ୍ଷର ପ୍ରକୃତ ଚିତ୍ର ବ୍ରିଟିଶ ଶାସକ ଓ ସମଗ୍ର ଦେଶ ଆଗରେ ରଖିବା। ତାଙ୍କ ଲେଖନୀର ଶାଣିତ ପ୍ରହାର ବ୍ରିଟିଶ ସରକାରଙ୍କୁ ଓଡ଼ିଶାର ବନ୍ୟାପୀଡ଼ିତଙ୍କ ପାଇଁ ସାହାଯ୍ୟ କରିବାକୁ ବାଧ୍ୟ କରିଥିଲା।
ଗୋପବନ୍ଧୁଙ୍କ ପ୍ରଚେଷ୍ଟା ଯୋଗୁଁ ହିଁ ମହାତ୍ମା ଗାନ୍ଧୀ ଓଡ଼ିଶାର ବନ୍ୟା ଓ ଦୁର୍ଭିକ୍ଷର ଗାମ୍ଭୀର୍ଯ୍ୟ ବୁଝିପାରିଥିଲେ। ଗାନ୍ଧିଜୀ ନିଜେ ଓଡ଼ିଶା ଆସି ବନ୍ୟାଞ୍ଚଳ ବୁଲି ଦେଖିଥିଲେ ଏବଂ ଗୋପବନ୍ଧୁଙ୍କ ନିସ୍ୱାର୍ଥପର ସେବା ଦେଖି ତାଙ୍କୁ ଗଭୀର ଶ୍ରଦ୍ଧା କରିଥିଲେ।
ତାଙ୍କର ସେହି ଅମର ପଙ୍କ୍ତି ଆଜି ବି ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସ୍ପନ୍ଦିତ ହୁଏ:
“ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼, ପୂରୁ ତହିଁ ମୋର ମାଂସ ହାଡ଼॥”
ଆଜି ବନ୍ୟା ଆସିଲେ ନୂଆ ନୂଆ ରିଲିଫ୍ ଟିମ୍ ଓ ବ୍ୟବସ୍ଥା ଆସୁଛି, ସତ। କିନ୍ତୁ ଆଣ୍ଠୁଏ ପାଣିରେ ଚାଲି ଚାଲି ହାତରେ ଆହାର ଧରି ପହଞ୍ଚୁଥିବା ସେହି ମହାନ ଆତ୍ମା— ଉତ୍କଳମଣି ଗୋପବନ୍ଧୁଙ୍କ ବିକଳ୍ପ ଆଜି ବି ଓଡ଼ିଶା ମାଟିରେ ବିରଳ।
Written By: S. MISHRA

