Mahanadi is Odisha’s Lifeline: CM Mohan Majhi Assures Protection of State’s Water Rights/ମହାନଦୀ ଆମ ଜୀବନରେଖା: ଓଡ଼ିଶାର ସ୍ୱାର୍ଥ ସହ କୌଣସି ବୁଝାମଣା ନାହିଁ, ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା..

ମହାନଦୀ ଜଳ ବିବାଦ: ଶୀଘ୍ର ଆସିବ ଚୂଡ଼ାନ୍ତ ନିଷ୍ପତ୍ତି, ଉଭୟ ଓଡ଼ିଶା ଓ ଛତିଶଗଡ଼ର ସ୍ୱାର୍ଥକୁ ମିଳିବ ପ୍ରାଧାନ୍ୟ
ନୂଆଦିଲ୍ଲୀ / ଭୁବନେଶ୍ୱର:
ବହୁ ବର୍ଷରୁ ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ଏବେ ନିକଟତର ହେବାରେ ଲାଗିଛି। ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସମେତ ଦୁଇ ରାଜ୍ୟର ବରିଷ୍ଠ ଆଡମିନିଷ୍ଟ୍ରେଟିଭ୍ ଅଫିସରମାନେ ଯୋଗ ଦେଇଥିଲେ।
ସୌହର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଆଲୋଚନା
ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଲୋଚନା ଅତ୍ୟନ୍ତ ସକାରାତ୍ମକ ଓ ସୌହର୍ଦ୍ଦ୍ୟପୂର୍ଣ୍ଣ ରହିଛି। ଉଭୟ ରାଜ୍ୟର ସ୍ୱାର୍ଥକୁ ସୁରକ୍ଷିତ ରଖି କିପରି ଏକ ସ୍ଥାୟୀ ସମାଧାନ କରାଯାଇପାରିବ, ସେ ନେଇ ଚୂଡ଼ାନ୍ତ ରୂପରେଖ ଖୁବ୍ ଶୀଘ୍ର ସାମ୍ନାକୁ ଆସିବ। ଏହି ସମାଧାନ ଆଗାମୀ ଦିନରେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ‘ମଡେଲ ଡିସ୍‌ପୁଟ ରିଜୋଲ୍ୟୁସନ୍’ (ଉଦାହରଣ) ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଓଡ଼ିଶାର ଜୀବନରେଖା ମହାନଦୀ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନଜୀବିକା। ଜଳସେଚନ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଉତ୍ପାଦନ ଓ ବନ୍ୟା ନିୟନ୍ତ୍ରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଓଡ଼ିଶାର ଆବଶ୍ୟକତା ଅନୁସାରେ ଯେପରି ପର୍ଯ୍ୟାପ୍ତ ଜଳ ମିଳିପାରିବ, ସେ ନେଇ ବୈଠକରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି।
୩ ମାସ ଭିତରେ ସମାଧାନର ଆଶା
ଗତ ଜୁଲାଇ ମାସରେ ହୋଇଥିବା ବୈଠକ ନିଷ୍ପତ୍ତି ଅନୁସାରେ, ସେଣ୍ଟ୍ରାଲ୍‌ ୱାଟର୍ କମିଶନ୍‌କୁ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରାଯାଉଛି। ୩ ମାସ ମଧ୍ୟରେ ଏହାର ସମାଧାନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଗତ ୨ ମାସ ମଧ୍ୟରେ ଯଥେଷ୍ଟ ଅଗ୍ରଗତି ହୋଇଛି। ଗୃହମନ୍ତ୍ରୀ ଅମିତ ଶାହା ନିଜେ ଏହି ବିବାଦର ସମାଧାନ ପାଇଁ ସକ୍ରିୟ ଉଦ୍ୟମ କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *