କୋଲକାତା: ଷଷ୍ଠୀ ଓ ସପ୍ତମୀର ଆନନ୍ଦ ମଧ୍ୟରେ କୋଲକାତାରୁ ଆସିଛି ଏକ ମର୍ମନ୍ତୁଦ ଖବର। ମହାପୂଜାର ଉତ୍ସବ ମଧ୍ୟରେ ଉତ୍ତର କୋଲକାତାର ପ୍ରସିଦ୍ଧ ଚୋରବାଗାନ ସର୍ବୋଜନୀନ ଦୁର୍ଗାପୂଜା ପେଣ୍ଡାଲରେ (ସାରଦା ପାର୍କ) ଏକ ଭୟଙ୍କର ଦଳଚକଟା (Stampede) ଘଟିଯାଇଛି। ଏହି ଦୁର୍ଘଟଣାରେ ପ୍ରାୟ ୧୭ ଜଣଙ୍କର ପ୍ରାଣହାନୀ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ୩୫ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି।
କିପରି ଘଟିଲା ଏହି ଅଘଟଣ? ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୦ ମିନିଟ୍ ସମୟରେ ହଠାତ୍ ପ୍ରବଳ ବର୍ଷା ଓ ଝଡ଼ତୋଫାନ୍ ଆରମ୍ଭ ହୋଇଥିଲା। ଏହି ସମୟରେ ପେଣ୍ଡାଲ ଭିତରେ ଓ ବାହାରେ ଥିବା ପ୍ରବଳ ଭିଡ଼ ସୁରକ୍ଷିତ ସ୍ଥାନକୁ କିମ୍ବା ବାହାରକୁ ବାହାରିବା ପାଇଁ ଏକସାଙ୍ଗେ ଦୌଡ଼ାଦୌଡ଼ି କରିଥିଲେ। ଫଳରେ ଏକ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇ ବହୁସଂଖ୍ୟକଦର୍ଶକ ତଳେ ପଡ଼ି ଚାପି ହୋଇଯାଇଥିଲେ।
ଘଟଣା ସାମ୍ନାକୁ ଆସିବାକ୍ଷଣି ପ୍ରଶାସନ ତତ୍ପର ହୋଇଉଠିଥିଲା। ଆହତମାନଙ୍କୁ ତତକ୍ଷଣାତ୍ ଉଦ୍ଧାର କରାଯାଇ କାଲକାତା ମେଡିକାଲ କଲେଜ ଏବଂ ହସ୍ପିଟାଲ (MCH)ରେ ଭର୍ତ୍ତି କରାଯାଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁବେନ୍ଦୁ ଅଧିକାରୀ, ମୁଖ୍ୟ ସଚିବ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାସ୍ଥଳ ଓ ହସ୍ପିଟାଲକୁ ଯାଇ ଚିକିତ୍ସା କାର୍ଯ୍ୟର ତଦାରଖ କରିଛନ୍ତି।
ସୁରକ୍ଷା ଦୃଷ୍ଟିରୁ ଉକ୍ତ ପୂଜା ପେଣ୍ଡାଲକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରିଦିଆଯାଇଥିବାବେଳେ ସେଠାରେ ବ୍ୟାପକ ପୋଲିସ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ (DMG) ନିୟୋଜିତ କରାଯାଇଛି। ରାଜ୍ୟପାଳ ଆର.ଏନ୍. ରବି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଦୁଃଖଦ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।



