ଇସ୍ରାଏଲ୍-ଓଡ଼ିଶା ସହଯୋଗ: ଓ-ହବ୍ରେ ଅନୁଷ୍ଠିତ ହେଲା ବିଜନେସ୍ ଓ ଇନୋଭେସନ୍ ରାଉଣ୍ଡଟେବୁଲ୍
ଭୁବନେଶ୍ୱର:
ଓଡ଼ିଶାର ଷ୍ଟାର୍ଟଅପ୍ଗୁଡ଼ିକୁ ବିଶ୍ୱ ବଜାର ସହ ଯୋଡ଼ିବା ଏବଂ ଇସ୍ରାଏଲ୍ ଭଳି ପ୍ରଯୁକ୍ତିବିଦ୍ୟାରେ ଅଗ୍ରଣୀ ଦେଶ ସହ ବ୍ୟବସାୟିକ ସମ୍ପର୍କ ମଜବୁତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଭୁବନେଶ୍ୱରସ୍ଥିତ ଓ-ହବ୍ଠାରେ ‘ଇସ୍ରାଏଲ୍-ଓଡ଼ିଶା ବିଜନେସ୍ ଏବଂ ଇନୋଭେସନ୍ ରାଉଣ୍ଡଟେବୁଲ୍’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଷ୍ଟାର୍ଟଅପ୍ ଓଡ଼ିଶା ଓ ରାଜ୍ୟ MSME ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ରାଏଲ୍ ପ୍ରତିନିଧିମଣ୍ଡଳୀ ଯୋଗଦେଇ ଓଡ଼ିଶାର ନବସୃଜନ ଓ ବିଭିନ୍ନ ଉଦ୍ଭାବନଗୁଡ଼ିକୁ ସିଧାସଳଖ ଦେଖିବା ସହ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିଥିଲେ।
ଏହି ବୈଠକରେ ଜୁଇସ୍ ପିପୁଲ୍ ପଲିସି ଇନ୍ଷ୍ଟିଚ୍ୟୁଟ୍ (JPPI)ର ସୋସିଆଲ୍ ଆକ୍ସିଲେରେଟର୍ ମ୍ୟାନେଜିଂ ପାର୍ଟନର୍ ଗିଲାଡ୍ ନ୍ୟୁମାନ୍ ଯୋଗଦେଇ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା, ESG, ପରିବେଶ ସୁରକ୍ଷା ଏବଂ ନିରୀକ୍ଷଣ ବ୍ୟବସ୍ଥା ଭଳି କ୍ଷେତ୍ରରେ ଦୁଇ ଦେଶ/ରାଜ୍ୟ ମଧ୍ୟରେ ମିଳିତ କାର୍ଯ୍ୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଷ୍ଟାର୍ଟଅପ୍ ଓଡ଼ିଶାର ସିଇଓ ସ୍ମୃତି ରଞ୍ଜନ ପ୍ରଧାନ ରାଜ୍ୟର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ବାବଦରେ ତଥ୍ୟ ରଖିଥିଲେ। ଏତଦ୍ବ୍ୟତୀତ ସାଲୋନୀ ମହାପାତ୍ର, ଡ. ବିଜୟ କୁମାର ସାହୁ ଏବଂ HCLର ବିସାସିସ୍ ଗନ୍ତାୟତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଏହି ଆଲୋଚନା ଚକ୍ର ମାଧ୍ୟମରେ ଓଡ଼ିଶାର ଉଦ୍ୟୋଗୀମାନଙ୍କ ପାଇଁ ଅନ୍ତର୍ଜାତୀୟ ନିବେଶ, ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ବିଶ୍ୱ ବଜାରକୁ ପ୍ରବେଶ କରିବାର ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି।



