Extra Perks & Protocol for Odisha’s 2 Deputy CMs Challenged; Orissa HC Reserves Verdict/ଉପମୁଖ୍ୟମନ୍ତ୍ରୀ ପଦବୀ ଓ ସ୍ୱତନ୍ତ୍ର ପ୍ରୋଟୋକଲ ବିବାଦ: ହାଇକୋର୍ଟରେ ମାମଲା, ଖୁବ୍‌ଶୀଘ୍ର ଆସିବ ନିଷ୍ପତ୍ତି

ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସୁବିଧା ସୁଯୋଗକୁ ଚ୍ୟାଲେଞ୍ଜ: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ
କଟକ:
ଓଡ଼ିଶାର ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ମିଳୁଥିବା ସ୍ୱତନ୍ତ୍ର ପଦବୀ, ପ୍ରୋଟୋକଲ୍ ଏବଂ ସରକାରୀ ସୁବିଧା ସୁଯୋଗକୁ ଚ୍ୟାଲେଞ୍ଜ କରି ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲା (PIL) ଉପରେ ଓଡ଼ିଶା ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ପ୍ରଭାରୀ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ଓ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ସଂରକ୍ଷିତ ରଖିଛନ୍ତି।
ଏଲିନା ଦାସ ନାମ୍ନୀ ଜଣେ ଆବେଦନକାରୀ ଏହି ମାମଲା ଦାୟର କରିଛନ୍ତି। ସମ୍ବିଧାନରେ ‘ଉପମୁଖ୍ୟମନ୍ତ୍ରୀ’ ନାମରେ କୌଣସି ସ୍ୱତନ୍ତ୍ର ସାମ୍ବିଧାନିକ ପଦବୀ ନାହିଁ। ଦୁଇ ନେତା ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ପରି ଶପଥ ଗ୍ରହଣ କରିଛନ୍ତି। ହେଲେ ସେମାନଙ୍କୁ ଅତିରିକ୍ତ ସୁରକ୍ଷା, ସ୍ୱତନ୍ତ୍ର ପ୍ରୋଟୋକଲ୍ ଏବଂ ଅଧିକ କର୍ମଚାରୀ ଯୋଗାଇ ଦିଆଯାଉଛି, ଯାହା ଦ୍ୱାରା ରାଜକୋଷ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ୁଛି। ତେଣୁ ଏହି ସ୍ୱତନ୍ତ୍ର ସୁବିଧା ସୁଯୋଗ ବନ୍ଦ କରିବାକୁ ସେ ଆବେଦନରେ ଦାବି କରିଛନ୍ତି।
ଅନ୍ୟପଟେ, ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କୋର୍ଟରେ ପକ୍ଷ ରଖିଥିଲେ। ସେ କହିଛନ୍ତି ଯେ ଏହି ଆବେଦନରେ କୌଣସି ଆଇନଗତ ଆଧାର ନାହିଁ ଏବଂ ଏହାକୁ ଖାରଜ କରାଯିବା ଉଚିତ।
ସମ୍ବିଧାନ ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କୋର୍ଟ ପୂର୍ବରୁ ଅନେକ ନିଷ୍ପତ୍ତି ଦେଇସାରିଛନ୍ତି। ତେବେ ଉପମୁଖ୍ୟମନ୍ତ୍ରୀ ଆଖ୍ୟା ଦେଇ ସ୍ୱତନ୍ତ୍ର ପ୍ରୋଟୋକଲ ଓ ଅତିରିକ୍ତ ସରକାରୀ ଖର୍ଚ୍ଚ କରାଯାଇପାରିବ କି ନାହିଁ, ସେ ନେଇ ହାଇକୋର୍ଟଙ୍କ ଆଗାମୀ ରାୟ ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *