୨୨,୦୦୦ କୋଟି ବଦଳରେ ମାତ୍ର ୬.୫ କୋଟି! ସୁବାଷ ଚନ୍ଦ୍ରଙ୍କ ଋଣ ଫେରସ୍ତ ଯୋଜନାକୁ NCLTର ମଞ୍ଜୁରୀ, କଂଗ୍ରେସର ତୀବ୍ର କଟାକ୍ଷ
ନୂଆଦିଲ୍ଲୀ: ପ୍ରସିଦ୍ଧ ବ୍ୟବସାୟୀ ‘ଜୀ ଗ୍ରୁପ୍’ର ସଂସ୍ଥାପକ ସୁବାଷ ଚନ୍ଦ୍ରଙ୍କ ବ୍ୟକ୍ତିଗତ ଦେବାଳିଆ ମାମଲାରେ ଏକ ବଡ଼ ନିଷ୍ପତ୍ତି ଆସିଛି। ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (NCLT) ସୁବାଷ ଚନ୍ଦ୍ରଙ୍କ ଏକ ଋଣ ପରିଶୋଧ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅନୁସାରେ, ବ୍ୟାଙ୍କ ଓ ଋଣଦାତାମାନଙ୍କର ପ୍ରାୟ ୨୨,୦୦୬.୫୭ କୋଟି ଟଙ୍କା ବାକି ଥିବା ବେଳେ, ସୁବାଷ ଚନ୍ଦ୍ର ମାତ୍ର ୬.୫ କୋଟି ଟଙ୍କା ଦେଇ ଏହି ବଡ଼ ଋଣରୁ ମୁକ୍ତି ପାଇବେ। ଅର୍ଥାତ୍, ଋଣଦାତାମାନଙ୍କୁ ପ୍ରାୟ ୯୯.୯୭ ପ୍ରତିଶତର ବଡ଼ ‘ହେୟାରକଟ୍’ (ଋଣ ଛାଡ଼) ସହିବାକୁ ପଡ଼ିବ।
ଏହି ମାମଲାରେ ନିଷ୍ପତ୍ତି ନେବା ପାଇଁ ଗଠିତ ତିନି ଜଣିଆ ସଦସ୍ୟଙ୍କ ମଧ୍ୟରୁ ତୃତୀୟ ସଦସ୍ୟ ନୀଲେଶ ଶର୍ମା ଏହି ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ତାଙ୍କ ଦର୍ଶାଯାଇଥିବା କାରଣ ଅନୁସାରେ, ସୁବାଷ ଚନ୍ଦ୍ରଙ୍କ ବର୍ତ୍ତମାନର ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ବହୁତ କମ୍। ଯଦି ଏହି ଯୋଜନାକୁ ଖାରଜ କରାଯାଇ ତାଙ୍କୁ ଦେବାଳିଆ ଘୋଷଣା କରାଯାଏ, ତେବେ ଋଣଦାତାମାନେ ଏହାଠାରୁ ବି କମ୍ ଟଙ୍କା ପାଇବେ। ଏହାସହ, ୮୦.୮୧% ଭୋଟ୍ ସେୟାର ଥିବା ଋଣଦାତା ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।
କଂଗ୍ରେସର ତୀବ୍ର ସମାଲୋଚନା:
NCLTର ଏହି ନିଷ୍ପତ୍ତି ପରେ ରାଜନୀତି ଗରମ ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ସୋସିଆଲ ମିଡିଆ ‘X’ରେ କଟାକ୍ଷ କରି ଲେଖିଛନ୍ତି ଯେ, “ଏହା କେବଳ ‘ହେୟାରକଟ୍’ (ବାଳ କାଟିବା) ନୁହେଁ, ଏହା ବାସ୍ତବରେ ‘ମୁଣ୍ଡନ’! ଏହା ୨୦୧୬ର ‘ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍’ (IBC) ଆଇନକୁ ଏକ ମଜାକରେ ପରିଣତ କରିଛି।”
ସୁବାଷ ଚନ୍ଦ୍ରଙ୍କ ସଫେଇ:
ଏହି ବିବାଦ ବଢ଼ିବା ପରେ ସୁବାଷ ଚନ୍ଦ୍ର ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି। ସେ କହିଛନ୍ତି ଯେ, ସେ ନିଜେ କୌଣସି ବ୍ୟାଙ୍କରୁ ସିଧାସଳଖ ଟଙ୍କା ଉଠାଇନାହାନ୍ତି। ଏହି ଋଣ ସବୁ ଗ୍ରୁପ୍ କମ୍ପାନୀଗୁଡ଼ିକ ନେଇଥିଲେ, ଯାହାର ସେ କେବଳ ‘ପର୍ସନାଲ ଗ୍ୟାରେଣ୍ଟର’ (ବ୍ୟକ୍ତିଗତ ଜାମିନଦାର) ଥିଲେ। ତାଙ୍କ ବିରୋଧରେ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦାବି ମାତ୍ର ୩,୯୯୨ କୋଟି ଟଙ୍କାର ଥିଲା, ୨୨,୦୦୦ କୋଟିର ନୁହେଁ।
ଗୋଟିଏ ପଟେ ଋଣଦାତା କମ୍ପାନୀଗୁଡ଼ିକ ନିଜର ବଡ଼ ଅଙ୍କର ଟଙ୍କା ହରାଇଥିବା ବେଳେ, ଅନ୍ୟପଟେ ନିୟମ ଅନୁସାରେ NCLTର ଏହି ରାୟ ଏବେ ସାରା ଦେଶର କୋର୍ପୋରେଟ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।

