ଆସାମର ‘ଆଇରନ୍ ଲେଡି’ ସଞ୍ଜୁକ୍ତା ପରାଶର ହେଲେ CoBRA ର ପ୍ରଥମ ମହିଳା ମୁଖ୍ୟ
ନୂଆଦିଲ୍ଲୀ: ଦେଶର ସବୁଠୁ ଶକ୍ତିଶାଳୀ ତଥା ଜଙ୍ଗଲୀ ଯୁଦ୍ଧରେ ମାହିର ସୁରକ୍ଷା ବାହିନୀ ‘CoBRA’ (କମାଣ୍ଡୋ ବାଟାଲିୟନ ଫର୍ ରେଜୋଲ୍ୟୁଟ୍ ଆକ୍ସନ୍) ର ନୂଆ ଆଇଜି (IG) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଞ୍ଜୁକ୍ତା ପରାଶର। ଆସାମର ‘ଆଇରନ୍ ଲେଡି’ ଭାବେ ଜଣାଶୁଣା ୨୦୦୬ ବ୍ୟାଚ୍ର ଏହି ଆଇପିଏସ୍ ଅଫିସର ହେଉଛନ୍ତି CRPF ର ଏହି ବିଶେଷ କମାଣ୍ଡୋ ଫୋର୍ସର ନେତୃତ୍ୱ ନେବାରେ ପ୍ରଥମ ମହିଳା ଅଫିସର।
କିଏ ଏହି ସଞ୍ଜୁକ୍ତା ପରାଶର?
ଆସାମର ଘଞ୍ଚ ଜଙ୍ଗଲ ଭିତରେ ବୋଡୋ ଆତଙ୍କବାଦୀଙ୍କ ବିରୋଧରେ ହାତରେ AK-47 ଧରି ଅପରେସନର ନେତୃତ୍ୱ ନେଉଥିବା ସଞ୍ଜୁକ୍ତାଙ୍କ ଫଟୋ ଦିନେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ନିଜ ଚାକିରି କାଳରେ ସେ ୧୬ ଜଣ ଉଗ୍ରବାଦୀଙ୍କୁ ସଫା କରିବା ସହ ୬୪ ଜଣଙ୍କୁ ଗିରଫ କରି ଆସାମରେ ଶାନ୍ତି ଫେରାଇ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଏହି ନିର୍ଭୀକ ସାହସ ପାଇଁ ଲୋକେ ତାଙ୍କୁ ‘ଆସାମର ଆଇରନ୍ ଲେଡି’ ବୋଲି କହିଥାନ୍ତି।
ପାଠପଢ଼ାରୁ ଆଇପିଏସ୍ ଯାଏଁ:
ସଞ୍ଜୁକ୍ତା ଦିଲ୍ଲୀ ୟୁନିଭରସିଟିରୁ ଗ୍ରାଜୁଏସନ୍ ଏବଂ JNU ରୁ ଇଣ୍ଟରନ୍ୟାସନାଲ ରିଲେସନ୍ସରେ PhD ହାସଲ କରିଛନ୍ତି। ୨୦୦୫ UPSC ପରୀକ୍ଷାରେ ଅଲ୍ ଇଣ୍ଡିଆ ୮୫ ର୍ୟାଙ୍କ୍ ରଖି ସେ IAS ବଦଳରେ IPS କ୍ୟାଡର ବାଛିଥିଲେ। ପରବର୍ତ୍ତୀ ସମୟରେ ସେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ରେ DIG ଭାବେ ଦେଶର ବଡ଼ ବଡ଼ ଆତଙ୍କବାଦୀ ମାମଲାର ତଦନ୍ତ ମଧ୍ୟ କରିଛନ୍ତି।
CoBRA ଏବଂ ନୂଆ ଦାୟିତ୍ୱ:
୨୦୦୮-୦୯ ମସିହାରେ ଗଠିତ CoBRA ହେଉଛି CRPF ର ଏକ ବିଶେଷ କମାଣ୍ଡୋ ଦଳ, ଯାହା ମାଓବାଦୀ ଓ ଜଙ୍ଗଲୀ ଗୁରିଲା ଯୁଦ୍ଧର ମୁକାବିଲା ପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ। ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ନିକଟରେ ମଣିପୁର ଭଳି ସମ୍ବେଦନଶୀଳ ଅଞ୍ଚଳରେ ଏହି ଫୋର୍ସ କାର୍ଯ୍ୟ କରୁଛି। ସଞ୍ଜୁକ୍ତାଙ୍କର ମୈଦାନୀ ଅପରେସନ ଓ NIA ର ତଦନ୍ତ ଅଭିଜ୍ଞତା CoBRA ଫୋର୍ସକୁ ଆଗାମୀ ଦିନରେ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

