ଆସନ୍ତା ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପୂର୍ବରୁ ଦାରା ସିଂଙ୍କ ଜେଲ୍ରୁ ମୁକ୍ତି ଆବେଦନକୁ ଖାରଜ କଲେ ଓଡ଼ିଶା ସରକାର
୧୯୯୯ ମସିହାରେ ବହୁ ଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ୍ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଦଗ୍ଧ କରିବା ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର କୁମାର ପାଲ୍ ଆଲିଆସ୍ ଦାରା ସିଂଙ୍କୁ ସମୟପୂର୍ବରୁ ଜେଲ୍ରୁ ଖଲାସ କରିବା ପାଇଁ ହୋଇଥିବା ଆବେଦନକୁ ଓଡ଼ିଶା ସରକାର ନାକଚ କରିଦେଇଛନ୍ତି। ଓଡ଼ିଶା ରାଜ୍ୟ ସଜା ସମୀକ୍ଷା ବୋର୍ଡ (SSRB) ର ଏକ ସ୍ୱତନ୍ତ୍ର ବୈଠକରେ ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନକୁ ନାକଚ କରାଯାଇଛି।
ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାର ଅଛି। ଏହା ପୂର୍ବରୁ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ ଦାରା ସିଂଙ୍କ ଆବେଦନ ଉପରେ ତୁରନ୍ତ ଗୋଟିଏ ସ୍ପଷ୍ଟ ନିଷ୍ପତ୍ତି ନେବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଦାରା ସିଂଙ୍କୁ ଜେଲ୍ରୁ ଛାଡ଼ିଲେ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସହ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ବୋର୍ଡ ଏହି ନିଷ୍ପତ୍ତି ନେଇଛି।
ଉଲ୍ଲେଖଯୋଗ୍ୟ ଯେ, ଦାରା ସିଂ ବିଗତ ୨୬ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଜେଲ୍ରେ ସଜା କାଟୁଛନ୍ତି। ରାଜ୍ୟ ସରକାରଙ୍କ ୨୦୨୨ ଅନୁକମ୍ପା ନୀତି (Remission Policy) ଆଧାରରେ ସେ ନିଜର ମୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ରାଜ୍ୟ ସରକାରଙ୍କ ଏହି ଖାରଜ ନିଷ୍ପତ୍ତି ବିଷୟରେ ଆସନ୍ତା ୧୭ ତାରିଖ ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯିବ।

