Ranji Trophy Shock: Dressing Room Locked, Police Called as Meghalaya MCA Factions Clash/ରାତିରାତି ବଦଳିଗଲା ପୁରା ରଣଜୀ ଟିମ୍: ଡ୍ରେସିଂ ରୁମ୍‌ରେ ତାଲା, ପଡ଼ିଆରେ ପୋଲିସ

ରଣଜୀ ଟ୍ରଫିରେ ବଡ଼ ହାଇଡ୍ରାମା: ରାତିରାତି ବଦଳିଗଲେ ପୁରା ଟିମ୍, ପୋଲିସ ଡକାଗଲା, ତାଲା ପଡ଼ିଲା ଡ୍ରେସିଂ ରୁମ୍‌ରେ!
ରଣଜୀ ଟ୍ରଫି ଇତିହାସରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନାଗାଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ହେଉଥିବା ମେଘାଳୟ ଦଳର ପୁରା ଖେଳାଳିଙ୍କୁ ରାତିବିତାଉ ବାହାର କରି ଦିଆଯାଇଛି। କେବଳ ସେତିକି ନୁହେଁ, ପୁରୁଣା ଖେଳାଳିମାନେ ଷ୍ଟାଡିୟମ୍‌ରେ ପହଞ୍ଚିବା ପରେ ଡ୍ରେସିଂ ରୁମ୍‌ରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ପରିସ୍ଥିତି ଏପରି ହୋଇଥିଲା ଯେ ଶେଷରେ ପୋଲିସକୁ ମଧ୍ୟ ଡକାଇବାକୁ ପଡ଼ିଥିଲା।
କାହିଁକି ସୃଷ୍ଟି ହେଲା ଏହି ବିବାଦ? ମେଘାଳୟ କ୍ରିକେଟ୍ ଆସୋସିଏସନ୍ (MCA) ସଭାପତି ଜେମ୍ସ ସଙ୍ଗମା ଏବଂ ନିଲମ୍ବିତ ସମ୍ପାଦକ ରାୟନାଲ୍ଡ ଖାରକାମନୀଙ୍କ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନରୁ କନ୍ଦଳ ଚାଲିଥିଲା। ନିକଟରେ ମେଘାଳୟ ହାଇକୋର୍ଟ ସଭାପତି ଗୋଷ୍ଠୀ ସପକ୍ଷରେ ରାୟ ଦେବା ପରେ, ସମ୍ପାଦକ ଗୋଷ୍ଠୀ ଦ୍ୱାରା ବଛାଯାଇଥିବା ପୁରୁଣା ଟିମ୍‌କୁ ରଦ୍ଦ କରାଯାଇଥିଲା। ଏହାପରେ ସଭାପତି ଗୋଷ୍ଠୀ ରାତି ପ୍ରାୟ ୧୧ଟାରେ ଏକ ନୂଆ ଟିମ୍ ଗଢ଼ି BCCI ନିକଟରେ ପଞ୍ଜୀକୃତ କରାଇ ନେଇଥିଲେ।
ଧମକ, ଭୟ ଏବଂ ପୋଲିସର ଏଣ୍ଟ୍ରି: ପୁରୁଣା ଟିମ୍‌ର ଖେଳାଳି ରାହୁଲ ଦଲାଲଙ୍କ କହିବା ଅନୁଯାୟୀ, ମ୍ୟାଚ୍‌ର ପୂର୍ବ ସନ୍ଧ୍ୟାରେ ଟିମ୍ ମ୍ୟାନେଜରଙ୍କୁ ଧମକ ଦିଆଯାଇଥିଲା, ଯାହା ପରେ ସେ ଟିମ୍ ଛାଡ଼ି ପଳାଇଥିଲେ। ସୁରକ୍ଷା ଦୃଷ୍ଟିରୁ ମ୍ୟାଚ୍ ରେଫରୀଙ୍କୁ ମଧ୍ୟ ଅନ୍ୟ ହୋଟେଲକୁ ସିଫ୍ଟ କରିବାକୁ ପଡ଼ିଥିଲା।
ପରଦିନ ସକାଳେ ଯେତେବେଳେ ପୁରୁଣା ଖେଳାଳିମାନେ ଖେଳିବା ପାଇଁ ପଡ଼ିଆରେ ପହଞ୍ଚିଲେ, ସେତେବେଳେ ଡ୍ରେସିଂ ରୁମ୍‌ରେ ତାଲା ପଡ଼ିଥିଲା। ଖେଳାଳିମାନେ ହଙ୍ଗାମା କରିପାରନ୍ତି ଭାବି ଆସୋସିଏସନ୍ ପକ୍ଷରୁ ପୋଲିସ ବୋଲାଯାଇଥିଲା। ପରେ MCA ସଭାପତି ଆସି ଖେଳାଳିଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସମସ୍ତ ପରିସ୍ଥିତି ବୁଝାଇଥିଲେ।
ଗୋଟିଏ ପଟେ ବୋର୍ଡର ଆଭ୍ୟନ୍ତରୀଣ ରାଜନୀତି ଏବଂ ଅନ୍ୟପଟେ କୋର୍ଟଙ୍କ ରାୟ ଯୋଗୁଁ ମାସ ମାସ ଧରି ପରିଶ୍ରମ କରିଥିବା ନିରୀହ ଖେଳାଳିମାନଙ୍କ ଭବିଷ୍ୟତ ଏବଂ ସ୍ୱପ୍ନ ଏବେ ବଳି ପଡ଼ିଯାଇଛି।

Leave a Reply

Your email address will not be published. Required fields are marked *