ଭୁବନେଶ୍ୱରରେ ଜମିଲା ‘ଭାରତ ଉତ୍ସବ’: ଓଡ଼ିଶୀ ନୃତ୍ୟର ଯାଦୁରେ ବିମୋହିତ ହେଲେ ଦର୍ଶକ
ଭୁବନେଶ୍ୱର:
ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ‘ଭାରତ ଉତ୍ସବ’। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ ଅଗ୍ରଣୀ ସଂସ୍ଥା ‘ଦେବଧାରା’ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟର ପ୍ରଖ୍ୟାତ ଗୁରୁ ଡକ୍ଟର ଗଜେନ୍ଦ୍ର ପଣ୍ଡା, ଗୁରୁ ନିରଞ୍ଜନ ରାଉତ ଏବଂ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ସହ ତାଙ୍କ ଶିଷ୍ୟମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ସେମାନଙ୍କ ଅଭିନୟ ଓ ଭାବପୂର୍ଣ୍ଣ ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କୁ ଓଡ଼ିଶୀ ନୃତ୍ୟର ଗଭୀରତା ଓ ସୌନ୍ଦର୍ଯ୍ୟର ଏକ ଅନନ୍ୟ ଅନୁଭୂତି ଦେଇଥିଲା।
ଉତ୍ସବର ନିର୍ଦ୍ଦେଶକ ଗୁରୁ ଡ. ବିନାୟକ ପଣ୍ଡା କହିଛନ୍ତି ଯେ, ସ୍ୱର୍ଗତ ଗୁରୁ ଦେବପ୍ରସାଦ ଦାସଙ୍କ ନୃତ୍ୟ ଶୈଳୀ ଓ ଓଡ଼ିଶାର ସମୃଦ୍ଧ କଳା-ସଂସ୍କୃତିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଦେବଧାରାର ମୁଖ୍ୟ ଲକ୍ଷ୍ୟ।
ସୂଚନାଯୋଗ୍ୟ, ୨୦୦୩ ମସିହାରୁ ନୂଆଦିଲ୍ଲୀରେ ମୁଖ୍ୟାଳୟ ଥିବା ‘ଦେବଧାରା’ ଦେଶ ଓ ବିଦେଶରେ ଓଡ଼ିଶୀ ନୃତ୍ୟର ପ୍ରସାର ଏବଂ ନୂଆ ପିଢ଼ିକୁ ପ୍ରଶିକ୍ଷଣ ଦେବାରେ ନିରନ୍ତର କାର୍ଯ୍ୟ କରିଆସୁଛି।

