ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ବାତ୍ୟା ଭୟ ନାହିଁ, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର:
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶାରେ, ବିଶେଷ କରି ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ବାତ୍ୟାର କୌଣସି ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ଷା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିରେ ଭର୍ଚୁଆଲି ଯୋଗ ଦେଇଥିଲେ।
ପାଣିପାଗ ପୂର୍ବାନୁମାନ:
ଲଘୁଚାପଟି ଆଗାମୀ ୨୪ ଘଣ୍ଟାରେ ଅବପାତ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହୋଇ ସେପ୍ଟେମ୍ବର ୨୩ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୨ରୁ ୨୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିପାରେ।
ସରକାରଙ୍କ ପ୍ରସ୍ତୁତି ଓ ନିର୍ଦ୍ଦେଶ:
-
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ: ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସମ୍ପୃକ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।
-
ଆସନ୍ନ ପ୍ରସବାଙ୍କ ସୁରକ୍ଷା: ଗର୍ଭବତୀ ମହିଳାମାନଙ୍କୁ ଆଗୁଆ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।
-
ଡ୍ରେନେଜ୍ ଓ ଜଳଭଣ୍ଡାର પରିଚାଳନା: ଇନ୍ଦ୍ରାବତୀ ଜଳଭଣ୍ଡାରରେ ୮୪% ଜଳ ଥିବାରୁ ଆବଶ୍ୟକ ଅନୁସାରେ ଜଳସ୍ରୋତ କମାଇବାକୁ କୁହାଯାଇଛି। ତଳିଆ ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି।
-
ଉଦ୍ଧାରକାରୀ ଟିମ୍: ODRAF ଓ NDRF ଟିମକୁ ମୋତୟନ ପାଇଁ ପ୍ରସ୍ତୁତ ରଖାଯାଇଛି।
-
ମତ୍ସ୍ୟଜୀବୀଙ୍କୁ ସତର୍କତା: ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

