ଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବୋଦଯାପିତ: ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ‘ଅସତ୍ୟ ସହର’
ଭୁବନେଶ୍ୱର, ନଭେମ୍ବର ୪ (News Inshot): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ଦୁଇଦିନିଆ ବାର୍ଷିକ ଉତ୍ସବ ଆଜି ଆଡ଼ମ୍ବରପୂର୍ଣ୍ଣ ଭାବରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆଙ୍କ ମେଧାକୁ ପ୍ରଶଂସା କରିଥିଲେ। ବ୍ୟସ୍ତବହୁଳ କାର୍ଯ୍ୟ ମଧ୍ୟରେ ଏଭଳି ସାଂସ୍କୃତିକ ଆୟୋଜନକୁ ପ୍ରଶଂସା କରି ସେ ‘ଭିଜନ ଓଡ଼ିଶା’ର ସ୍ୱପ୍ନ ସମ୍ପର୍କରେ ଆଲୋକପାତ କରିଥିଲେ। ୨୦୪୭ ସୁଦ୍ଧା ୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି, ରାଜସ୍ୱ ଅଭିବୃଦ୍ଧି ଏବଂ ପର୍ଯ୍ୟଟନର ବିକାଶ ଦ୍ୱାରା ବିକଶିତ ଓଡ଼ିଶା ଗଠନରେ ସହଯୋଗ କାମନା କରିଥିଲେ।

ସମ୍ମାନିତ ଅତିଥି ଭାବେ ଗୃହ, ଶିଳ୍ପ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଯୋଗଦେଇ କର୍ମଚାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ରକ୍ଷା କରିବାକୁ ପ୍ରେରଣା ଦେଇଥିଲେ। କାର୍ଯ୍ୟକ୍ରମରେ ପରିଷଦର ସଭାପତି ପୀୟୂଷ ରଞ୍ଜନ ପରିଡ଼ା, ସାଧାରଣ ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିବାବେଳେ ଉପସଭାପତି ଅମୀୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୁଖା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସର୍ବଶେଷରେ, ସ୍ୱର୍ଗତ ବିଜୟ ମିଶ୍ରଙ୍କ ରଚିତ ଏବଂ ଡ. ପ୍ରଶାନ୍ତ ପ୍ରହରାଜଙ୍କ ନିର୍ଦ୍ଦେଶିତ ନାଟକ “ଅସତ୍ୟ ସହର” ମଞ୍ଚସ୍ଥ ହୋଇଥିଲା, ଯାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସୂଚନାଯୋଗ୍ୟ ଯେ, ଉତ୍ସବର ପ୍ରଥମ ଦିବସରେ ଶଙ୍କର ତ୍ରିପାଠୀଙ୍କ ରଚିତ ଏବଂ ବନ ବିହାରୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ନାଟକ “ଶୁଣିବା ହେଉ ଏ କାହାଣୀ” ପରିବେଷିତ ହୋଇଥିଲା।



