ଅମିତାଭ ବଚ୍ଚନ ଅଭିନୟ ଛାଡ଼ୁନାହାନ୍ତି: ‘ରିଟାୟାର’ ଖବରର ସତ ଜଣାଇଲେ ବିଗ୍-ବି
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଅଭିନୟ କିମ୍ବା ଟିଭି ଶୋ’ରୁ ଅବସର ନେଉଛନ୍ତି ବୋଲି ଚାଲିଥିବା ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିକଟରେ ତାଙ୍କର ଗୋଟିଏ ବ୍ଲଗ୍ ପୋଷ୍ଟକୁ ନେଇ ଗଣମାଧ୍ୟମରେ ସେ ଅବସର ନେଉଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ତେବେ ଏହାକୁ ନିଜର ମଜାଳିଆ ଏବଂ ସ୍ପଷ୍ଟ ଶୈଳୀରେ ଖଣ୍ଡନ କରିଛନ୍ତି ନିଜେ ଅମିତାଭ।
କାହିଁକି ଆରମ୍ଭ ହୋଇଥିଲା ଗୁଜବ?
ସେ ନିଜ ବ୍ଲଗ୍ ଶେଷରେ ଲେଖିଥିଲେ, “it’s late, time to retire…” (ବହୁତ ରାତି ହେଲାଣି, ଏବେ ରିଟାୟାର କରିବାର ସମୟ)। ଏହି ‘ରିଟାୟାର’ ଶବ୍ଦକୁ ନେଇ କିଛି ଗଣମାଧ୍ୟମ ଅଟକଳ ଲଗାଇଥିଲେ ଯେ ୮୩ ବର୍ଷୀୟ ଅମିତାଭ ହୁଏତ ଅଭିନୟ ଏବଂ ‘କୌନ ବନେଗା କରୋଡ଼ପତି’ (KBC) ରୁ ସନ୍ନ୍ୟାସ ନେବାକୁ ଯାଉଛନ୍ତି।
ଅମିତାଭଙ୍କ ସ୍ପଷ୍ଟୀକରଣ:
ଏହି ଖବର ଦେଖିବା ପରେ ବିଗ୍-ବି ନୂଆ ବ୍ଲଗ୍ ଲେଖି ଗଣମାଧ୍ୟମକୁ ସମାଲୋଚନା କରିବା ସହ କହିଛନ୍ତି:
“ଜୀ ନାହିଁ ହୁଜୁର, ମୁଁ କାମରୁ ରିଟାୟାର ହେଉନାହିଁ। ଇଂରାଜୀରେ ଏହାର ଅର୍ଥ ହେଉଛି ମୁଁ ଶୋଇବାକୁ ଯାଉଛି। ଆଉ ସେଠାକୁ ଆପଣଙ୍କୁ ନିମନ୍ତ୍ରଣ ନାହିଁ।”
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ରାତିରେ ସୋଇବାକୁ ଯିବାକୁ ଇଂରାଜୀରେ ‘ରିଟାୟାର’ ବୋଲି କୁହାଯାଏ। କିନ୍ତୁ ଗଣମାଧ୍ୟମ ବିନା କିଛି ବୁଝି ଏହାକୁ ଅବସରର ରୂପ ଦେଇଦେଲା।
ଫ୍ୟାନ୍ସମାନଙ୍କ ପାଇଁ ଖୁସିର କଥା ହେଉଛି ଯେ ଅମିତାଭ ଏବେ KBCର ନୂଆ ସିଜନ୍ ହୋଷ୍ଟ କରୁଛନ୍ତି ଏବଂ ଆଗାମୀ ଦିନରେ ‘କଲ୍କି ୨୮୯୮ AD: ପାର୍ଟ ୨’ ଭଳି ବଡ଼ ଫିଲ୍ମରେ ନଜର ଆସିବେ।

