ଖରାପ ରିଭ୍ୟୁ ଦେବାରୁ ୟୁଟ୍ୟୁବର୍ଙ୍କୁ ଆଇନଗତ ନୋଟିସ୍: ସାଉଥ୍ ଫିଲ୍ମ ‘ଟକ୍ସିକ୍’କୁ ନେଇ ବଢ଼ିଲା ବିବାଦ
ସାଉଥ୍ ସୁପରଷ୍ଟାର୍ ୟଶଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ୍: ଏ ଫେୟାରୀ ଟେଲ୍ ଫର୍ ଗ୍ରୋନ୍-ଅପ୍ସ’ ପ୍ରେକ୍ଷାଳୟକୁ ଆସିବା ମାତ୍ରେ ବିବାଦରେ ଛନ୍ଦି ହୋଇପଡ଼ିଛି। ଫିଲ୍ମଟି ରିଲିଜ୍ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଅନେକ ୟୁଟ୍ୟୁବର୍ ଓ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସରଙ୍କୁ ଫିଲ୍ମର ନିର୍ମାତାମାନଙ୍କ ତରଫରୁ ଆଇନଗତ ନୋଟିସ୍ ପଠାଯାଇଥିବା ଅଭିଯୋଗ ହୋଇଛି।
ଫିଲ୍ମ ବିଷୟରେ ନକାରାତ୍ମକ କିମ୍ବା ଖରାପ ରିଭ୍ୟୁ (Review) ଦେଇଥିବା କାରଣରୁ ଏହି ନୋଟିସ୍ ପଠାଯାଇଥିବା କୁହାଯାଉଛି। ୟୁଟ୍ୟୁବର୍ ସୁରଜ କୁମାର ଓ ପ୍ରଶାନ୍ତ ରଙ୍ଗସ୍ୱାମୀଙ୍କ ପରି ପ୍ରମୁଖ କ୍ରିଏଟରମାନେ ସୋସିଆଲ୍ ମିଡିଆରେ ଏହି ନୋଟିସ୍ ସେୟାର କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଶାନ୍ତ ଏକ୍ସ (X)ରେ ଲେଖିଛନ୍ତି ଯେ, “ଫିଲ୍ମର ଖରାପ ରିଭ୍ୟୁ ପାଇଁ ନୋଟିସ୍ ଆସିଛି, ରିଅଲ୍ ଲାଇଫ୍ରେ ମଧ୍ୟ ୟଶ୍ କେବଳ ଜଣେ ପ୍ରଭାବଶାଳୀ ଧନୀ ବ୍ୟକ୍ତିଙ୍କ ପରି ବ୍ୟବହାର କରୁଛନ୍ତି”।
ଫିଲ୍ମର ପ୍ରଯୋଜକ କେ.ଭି.ଏନ୍ ପ୍ରୋଡକ୍ସନ୍ସ (KVN Productions) ଏବଂ ମନଷ୍ଟର ମାଇଣ୍ଡ କ୍ରିଏସନ୍ସ ପକ୍ଷରୁ ‘ଆଇପ୍ଲେକ୍ସ ସଫ୍ଟୱେର୍’ (Aiplex Software) ନାମକ ଏକ କମ୍ପାନୀ ଏହି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଅଗଷ୍ଟ ୨୨ ତାରିଖରେ ବେଙ୍ଗାଲୁରୁର ଏକ ଅଦାଲତରୁ ନିର୍ମାତାମାନେ ଏକ ଅନ୍ତରୀଣ ନିର୍ଦ୍ଦେଶ (Interim Order) ଆଣିଥିଲେ, ଯେଉଁଥିରେ ଫିଲ୍ମ ବିଷୟରେ ମିଛ କିମ୍ବା ଅପମାନଜନକ ଖବର ପ୍ରଚାର ନକରିବାକୁ କୁହାଯାଇଥିଲା। ସେହି ଆଦେଶକୁ ଆଧାର କରି ଏବେ ଅନ୍ଲାଇନ୍ରେ ଥିବା ବିଭିନ୍ନ ରିଭ୍ୟୁ ଭିଡିଓ ଓ ପୋଷ୍ଟକୁ ହଟାଇବା ପାଇଁ ଏହି ନୋଟିସ୍ ପଠାଯାଉଛି।
ତେବେ ଏହି ନୋଟିସ୍ କୌଣସି କୋର୍ଟଙ୍କ ସିଧାସଳଖ ଆଦେଶ ନୁହେଁ, ବରଂ ନିର୍ମାତାଙ୍କ ପକ୍ଷରୁ ଚେତାବନୀ ସ୍ୱରୂପ ପଠାଯାଇଛି। ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଏହି ଗ୍ୟାଙ୍ଗଷ୍ଟର୍ ଫିଲ୍ମରେ ୟଶଙ୍କ ସହ କିଆରା ଆଡଭାନୀ, ନୟନତାରା, ହୁମା କୁରେଶୀ ଓ ତାରା ସୁତାରିଆ ପ୍ରମୁଖ ଅଭିନୟ କରିଛନ୍ତି। ସିନେମାଟିକୁ ନେଇ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ଆସୁଥିବା ବେଳେ ଏଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

