“Zero Tolerance Against Crime”: CM Unveils Smart Policing Blueprint for Safe Odisha/ପୋଲିସକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୧୦ ମାର୍ଗଦର୍ଶନ: ନିଶା ବେପାର ଓ ଦାଦା ବଟି ଉପରେ କଡ଼ା ନଜର

ଭୁବନେଶ୍ୱର: ଓଡ଼ିଶାରେ ସ୍ମାର୍ଟ ପୋଲିସିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ ବିଭାଗକୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ ଦେଇଛନ୍ତି। ରାଜ୍ୟ ସ୍ତରୀୟ ଡିଜିପି-ଆଇଜିପି ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା, ସାଇବର ସୁରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷାର ସମୀକ୍ଷା କରିବା ସହ ଭବିଷ୍ୟତର ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମହିଳାବିରୋଧୀ ହିଂସା ଓ ସଂଗଠିତ ଅପରାଧ ବିରୋଧରେ ‘ଜିରୋ ଟଲରେନ୍ସ’ ନୀତି ଆପଣାଯିବ। ବର୍ତ୍ତମାନ ମହିଳାବିରୋଧୀ ହିଂସାରେ ଦଣ୍ଡବିଧାନ ହାର ୪୦ ପ୍ରତିଶତ ରହିଛି, ଯାହାକୁ ଅତି କମରେ ୭୫ ପ୍ରତିଶତକୁ ବୃଦ୍ଧି କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ତଦନ୍ତ ପ୍ରକ୍ରିୟାରେ ଆଧୁନିକ ଟେକ୍ନୋଲୋଜି ଓ ବୃତ୍ତିଗତ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯିବ।
ଏହା ସହିତ ୨୦୨୯ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ନିଶା ବେପାରର ମୂଳ ସିଣ୍ଡିକେଟକୁ ଧ୍ୱଂସ କରିବାକୁ ପୋଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ‘ଦାଦା ବଟି’ ଓ ଜୋର୍-ଜବରଦସ୍ତି ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ସାଧାରଣ ନାଗରିକଙ୍କ ପ୍ରତି ପୋଲିସର ବ୍ୟବହାରକୁ ନେଇ ସେ କହିଛନ୍ତି, “ପୋଲିସକୁ ଦେଖି ଅପରାଧୀ ଛାନିଆଁ ହେବେ, ନିର୍ଦୋଷ ନାଗରିକ ନୁହଁନ୍ତି।” ଥାନାକୁ ଆସୁଥିବା ପୀଡ଼ିତଙ୍କ ସହ ସହାନୁଭୂତିପୂର୍ଣ୍ଣ ବ୍ୟବହାର କରିବା ସହ ପ୍ରଶାସନକୁ ଦୁର୍ନୀତିମୁକ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଅନ୍ୟପଟେ ରାଜ୍ୟର ୫୭୫ କିଲୋମିଟର ଦୀର୍ଘ ତଟରେଖାର ସୁରକ୍ଷା ପାଇଁ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସେଣ୍ଟର, ଡ୍ରୋନ୍, ଇଣ୍ଟରସେପ୍ଟର ବୋଟ୍ ଓ ATV ଗାଡ଼ି ନିୟୋଜିତ କରାଯାଉଛି। ଥାନାଗୁଡ଼ିକର ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କାର ସ୍ୱତନ୍ତ୍ର ତଦନ୍ତ ଫଣ୍ଡ ମଧ୍ୟ ମଞ୍ଜୁର କରାଯାଇଛି।
ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଡିଜିପି ବିନୟତୋଷ ମିଶ୍ରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। “ସୁରକ୍ଷିତ ଓଡ଼ିଶା—ସଶକ୍ତ ଓଡ଼ିଶା—ସମୃଦ୍ଧ ଓଡ଼ିଶା” ଗଠନ ପାଇଁ ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *