କୋରାପୁଟ ଓ ମାଲକାନଗିରିରେ ମୃଦୁ ଭୂକମ୍ପ: ଭୟରେ ଘରୁ ବାହାରି ଆସିଲେ ଲୋକେ
କୋରାପୁଟ:
ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ଏହାର ଆଖପାଖ ଅଞ୍ଚଳରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ହଠାତ୍ ଭୂମି କମ୍ପିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା।
ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (NCS) ର ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ୩୧ ମିନିଟ୍ ସମୟରେ ଏହି ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରବିନ୍ଦୁ କୋରାପୁଟ ଜିଲ୍ଲା ନିକଟରେ ଭୂପୃଷ୍ଠରୁ ପ୍ରାୟ ୫ କିଲୋମିଟର ଗଭୀରତାରେ ଥିଲା।
ପ୍ରାୟ ୩ ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଏହି କମ୍ପନ ଜାରି ରହିଥିଲା। କୋରାପୁଟ ସହର, ସୁନାବେଡ଼ା, ଜୟପୁର, ସେମିଳିଗୁଡ଼ା, ପଟାଙ୍ଗୀ, ଲମ୍ପତାପୁଟ, ଦାମନଯୋଡ଼ି ଏବଂ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ଲୋକେ ଘରର ଚୌକି, ଖଟ ଓ ଆସବାବପତ୍ର ହଲିବା ଅନୁଭବ କରିଥିଲେ।
ରାତି ସମୟରେ ହଠାତ୍ କମ୍ପନ ସହ ଶବ୍ଦ ହେବାରୁ ଅନେକ ପରିବାର ଭୟଭୀତ ହୋଇ ନିଜ ନିଜ ଘରୁ ବାହାରି ଖୋଲା ସ୍ଥାନକୁ ଚାଲି ଆସିଥିଲେ। ତେବେ ଆଶ୍ୱାସନାର ବିଷୟ ହେଉଛି, ଏହି ଭୂକମ୍ପ ଯୋଗୁଁ କୌଣସି ଧନଜୀବନ ହାନି କିମ୍ବା ଘରଦ୍ୱାର ଭାଙ୍ଗିବାର ସୂଚନା ମିଳିନାହିଁ। ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି।

