୧୦-୧୪ ମାସ ମଧ୍ୟରେ ଭାରତକୁ ମିଳିବ ୩ଟି ଦେଶୀ ସ୍ମାର୍ଟଫୋନ୍ ବ୍ରାଣ୍ଡ୍: ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ:ଖୁବଶୀଘ୍ର ଭାରତୀୟ ବଜାରରେ ଦେଖିବାକୁ ମିଳିବ ଭାରତରେ ତିଆରି ନିଜସ୍ୱ ସ୍ମାର୍ଟଫୋନ୍। ଆଗାମୀ ୧୦ ରୁ ୧୪ ମାସ ମଧ୍ୟରେ ଦେଶରେ ତିନୋଟି ନୂଆ ଭାରତୀୟ ସ୍ମାର୍ଟଫୋନ୍ କମ୍ପାନୀ ସାମ୍ନାକୁ ଆସିପାରନ୍ତି। କେନ୍ଦ୍ର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।
ସରକାରଙ୍କ ନୂଆ ‘ମୋବାଇଲ୍ ଫୋନ୍ ମାନୁଫାକ୍ଚରିଂ ସ୍କିମ୍’ (MPMS) ମାଧ୍ୟମରେ ଦେଶୀ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି। ଏହି ଯୋଜନା ଅଧୀନରେ ତିନୋଟି ସମ୍ଭାବ୍ୟ କମ୍ପାନୀକୁ ଚିହ୍ନଟ କରାଯାଇଛି, ଯେଉଁମାନେ ବିଦେଶୀ କମ୍ପାନୀଗୁଡ଼ିକୁ କଡ଼ା ଟକ୍କର ଦେବା ଭଳି ଫୋନ୍ ତିଆରି କରିବେ। ତେବେ ଗୋପନୀୟତା ଦୃଷ୍ଟିରୁ ମନ୍ତ୍ରୀ ସେହି କମ୍ପାନୀଗୁଡ଼ିକର ନାମ ପ୍ରକାଶ କରିନାହାଁନ୍ତି।
ସରକାରଙ୍କ କହିବା ଅନୁଯାୟୀ, କେବଳ ଅନ୍ୟ ଦେଶରୁ ପାର୍ଟସ୍ ଆଣି ଆସେମ୍ବଲି କଲେ ହେବନାହିଁ। ଭାରତୀୟ କମ୍ପାନୀଗୁଡ଼ିକୁ ସମ୍ପୂର୍ଣ୍ଣ ନିଜସ୍ୱ ଡିଜାଇନ୍, ଟେକ୍ନୋଲୋଜି ଓ ଆଇପି (Intellectual Property) ବ୍ୟବହାର କରି ଫୋନ୍ ପ୍ରସ୍ତୁତ କରିବାକୁ ପଡ଼ିବ।
ଏହି ଯୋଜନା ଦ୍ୱାରା ନା କେବଳ ଭାରତରେ ନିଜସ୍ୱ ବ୍ରାଣ୍ଡ୍ ତିଆରି ହେବ, ବରଂ ନିଯୁକ୍ତି ସୁଯୋଗ ବଢ଼ିବା ସହ ଦେଶୀ ମୋବାଇଲ୍ ବଜାର ଶକ୍ତିଶାଳୀ ହେବ।

