ମଣିପୁର ହିଂସାରେ ୩୦୬ ମୃତ, ୪୯ ନିଖୋଜ: ବିଧାନସଭାରେ ଗୃହମନ୍ତ୍ରୀଙ୍କ ସୂଚନା
ଇମ୍ଫାଲ:
ମଣିପୁରରେ ୨୦୨୩ ମେ’ ମାସରୁ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ଏପର୍ଯ୍ୟନ୍ତ ୩୦୬ ଜଣଙ୍କର ଜୀବନ ଗଲାଣି। ଏହା ସହିତ ୪୯ ଜଣ ଏବେ ବି ନିଖୋଜ ଅଛନ୍ତି। ବିଧାନସଭାରେ ଏହି ସମ୍ବେଦନଶୀଳ ତଥ୍ୟ ରଖିଛନ୍ତି ରାଜ୍ୟ ଗୃହମନ୍ତ୍ରୀ ଗୋବିନ୍ଦାସ କୋନ୍ଥୌଜମ୍।
ବିଜେପି ବିଧାୟକ ସାପମ୍ ରଞ୍ଜନ ସିଂହଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ, ୨୦୨୩ ମେ’ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ହିଂସାକାଣ୍ଡ ରାଜ୍ୟକୁ ଶୋଚନୀୟ ପରିସ୍ଥିତିକୁ ନେଇଯାଇଛି। ସରକାରୀ ତଥ୍ୟ ଅନୁସାରେ, ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ମେଇତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ST) ମାନ୍ୟତା ଦାବି ପ୍ରତିବାଦରେ ପାହାଡ଼ିଆ ଜିଲ୍ଲାଗୁଡ଼ିକରେ କଢ଼ାଯାଇଥିବା ‘ଟ୍ରାଇବାଲ ସୋଲିଡାରିଟି ମାର୍ଚ୍ଚ’ ପରେ ମେଇତେଇ ଓ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ଏହି ରକ୍ତାକ୍ତ ସଂଘର୍ଷ ଆରମ୍ଭ ହୋଇଥିଲା। ଲଗାତାର ଉତ୍ତେଜନା ଯୋଗୁଁ ହଜାର ହଜାର ଲୋକ ନିଜ ଭିଟାମାଟି ଛାଡ଼ି ଶରଣାର୍ଥୀ ଶିବିରରେ ଦିନ କାଟୁଛନ୍ତି।

