ମୋବାଇଲ୍ ପାଇଁ ଜିଦ୍ ନେଲା ତିନି ଜୀବନ: ପାହାଡ଼ରୁ ଡେଇଁ ପୁଅ ମୃତ, ବଞ୍ଚାଇବାକୁ ଯାଇ ଆଖି ବୁଜିଲେ ବାପା-ମା’
ଛତ୍ରପତି ସମ୍ଭାଜୀନଗର:ଏକ ସ୍ମାର୍ଟଫୋନ୍ ପାଇଁ ଗୋଟିଏ ହସୁଥିବା ପରିବାର ଏମିତି ଛାରଖାର ହୋଇଯିବ, ତାହା କେହି କେବେ କଳ୍ପନା ସୁଦ୍ଧା କରିନଥିଲେ। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲା ଅନ୍ତର୍ଗତ ତିସଗାଁ ଅଞ୍ଚଳରେ ଥିବା ଖାବଡ଼ା ପାହାଡ଼ (ଖାବଡ଼ା ଡୋଙ୍ଗର) ନିକଟରେ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ମୋବାଇଲ୍ ଫୋନ୍ କିଣିବାକୁ ନେଇ କଳି କରିବା ପରେ ପାହାଡ଼ ଉପରୁ ଡେଇଁ ପୁଅ ଆତ୍ମହତ୍ୟା କରିଥିବା ବେଳେ, ତାକୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଛନ୍ତି ବାପା ଓ ମା’।
ମିଳିଥିବା ସୂଚନା ଅନୁଯାୟୀ, ୧୯ ବର୍ଷୀୟ କୁନାଲ ଚାନ୍ଦଗୁଡେ ନୂଆ ମୋବାଇଲ୍ ଫୋନ୍ କିଣିବା ପାଇଁ ସକାଳେ ଘରେ ଜିଦ୍ ଧରିଥିଲେ। ଏହାକୁ ନେଇ ବାପା ମୁରଲୀଧର ଚାନ୍ଦଗୁଡେ (୪୮) ଓ ମା’ ସଙ୍ଗୀତା ଚାନ୍ଦଗୁଡେଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଅଭିମାନ କରି କୁନାଲ ସକାଳ ପ୍ରାୟ ୧୦ଟା ସମୟରେ ଘରୁ ଗୋଡ଼ କାଢ଼ି ପାଖରେ ଥିବା ଖାବଡ଼ା ପାହାଡ଼ର ଗଭୀର ପଥର ଖାଦାନ କୂଳରେ ଯାଇ ଛିଡ଼ା ହୋଇଥିଲେ ଏବଂ ତଳକୁ ଡେଇଁପଡ଼ିବାକୁ ଧମକ ଦେଇଥିଲେ।
ଖବର ପାଇ ପରିବାର ଲୋକଙ୍କ ସହ ଗ୍ରାମବାସୀ, ସ୍ଥାନୀୟ ପୋଲିସ ଓ ନିଆଁଲିଭା ବାହିନୀ (ଫାୟାର ବ୍ରିଗେଡ) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଅକୁ ସୁରକ୍ଷିତ ଓହ୍ଲାଇ ଆଣିବା ପାଇଁ ପୋଲିସ ଓ ବାପା-ମା’ ଦୀର୍ଘ ତିନି ଘଣ୍ଟା ଧରି ଅସହାୟ ଭାବେ ନେହୁରା ହୋଇ ବୁଝାସୁଝା କରିଥିଲେ। ଅଗ୍ନିଶମ ବାହିନୀ ପାହାଡ଼ ତଳେ ସୁରକ୍ଷା ଜାଲି (Safety Net) ବିଛାଇଥିଲେ ସୁଦ୍ଧା, କୁନାଲ ବାରମ୍ବାର ନିଜର ସ୍ଥାନ ବଦଳାଇ ପାହାଡ଼ର ବିପଜ୍ଜନକ ଧାରରେ ଛିଡ଼ା ହେଉଥିଲେ।
ଅପରାହ୍ନ ପ୍ରାୟ ୧ଟା ସମୟରେ କୁନାଲ ହଠାତ୍ ପାହାଡ଼ ଉପରୁ ତଳକୁ ଡେଇଁପଡ଼ିଥିଲେ। ପୁଅକୁ ଆଖି ଆଗରେ ଖସିପଡ଼ୁଥିବା ଦେଖି ବାପା ମୁରଲୀଧର ତାଙ୍କ ହାତ ଧରି ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରସାମ୍ୟ ହରାଇ ବାପା ମଧ୍ୟ ପୁଅ ସହ ଶହ ଶହ ଫୁଟ ତଳକୁ ଖସିପଡ଼ିଥିଲେ। କ୍ଷଣକ ମଧ୍ୟରେ ସ୍ୱାମୀ ଓ ପୁଅଙ୍କୁ ଆଖି ଆଗରେ ହରାଇ ଗଭୀର ଆଘାତ ଓ ଭୟରେ ମା’ ସଙ୍ଗୀତା ମଧ୍ୟ ପାହାଡ଼ ଉପରୁ ତଳକୁ ଡେଇଁପଡ଼ିଥିଲେ।
ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଓ ପୋଲିସ ସହାୟତାରେ ପାହାଡ଼ ତଳୁ ତିନିଜଣଙ୍କ ଶବ ଉଦ୍ଧାର କରାଯାଇ ପୋଷ୍ଟମୋର୍ଟମ ପାଇଁ ପଠାଯାଇଛି। ୱାଲୁଜ୍ MIDC ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

