ଭୋଟର ତାଲିକା ସଂଶୋଧନକୁ ନେଇ ନିର୍ବାଚନ ଆୟୋଗଙ୍କୁ ତୀବ୍ର କଟାକ୍ଷ କଲେ ପୂର୍ବତନ ସିଇସି ଏସ.ୱାଇ. କୁରୈଶୀ
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କୁ (ECI) ତୀବ୍ର କଟାକ୍ଷ କରିଛନ୍ତି ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଏସ.ୱାଇ. କୁରୈଶୀ। ସେ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଛନ୍ତି ଯେ, ଏହି ପ୍ରକ୍ରିୟା ଜରିଆରେ ନିର୍ବାଚନ ଆୟୋଗ ଦେଶର ପ୍ରାୟ ୧୪ ରୁ ୧୫ କୋଟି ଭୋଟରଙ୍କୁ (୧୫ ପ୍ରତିଶତ ଜନସଂଖ୍ୟା) ବାଦ୍ ଦେଇ “ଜନସଂଖ୍ୟା ନିୟନ୍ତ୍ରଣ” କରିବାରେ ବଡ଼ ଅବଦାନ ଦେଇଛନ୍ତି!
କୁରୈଶୀ ପ୍ରଶ୍ନ ଉଠାଇଛନ୍ତି ଯେ, ଏହି ବିଶାଳ ସଂଶୋଧନ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା। କିନ୍ତୁ ଆୟୋଗ ଏପର୍ଯ୍ୟନ୍ତ କେତେ ଜଣ ଅନୁପ୍ରବେଶକାରୀଙ୍କୁ ତାଲିକାରୁ ହଟାଇଛନ୍ତି, ସେହି ତଥ୍ୟ ସାର୍ବଜନୀନ କରିନାହାନ୍ତି।
ସେ ଆହୁରି କହିଛନ୍ତି ଯେ, ସମ୍ବିଧାନର ଧାରା ୩୨୬ ଅନୁଯାୟୀ ଭୋଟ୍ ଦେବା ଏକ ସାମ୍ବିଧାନିକ ଅଧିକାର। ନିର୍ବାଚନ ଆୟୋଗ କୌଣସି ଦାନ କରୁନାହାନ୍ତି। କୋଟି କୋଟି ନାଗରିକଙ୍କ ନାମ ଭୋଟର ତାଲିକାରୁ କାଟିବା ଗଣତନ୍ତ୍ର ସହ ଖେଳିବା ସଦୃଶ।
ସୂଚନାଯୋଗ୍ୟ, ଭୋଟର ତାଲିକାକୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ନିର୍ବାଚନ ଆୟୋଗ ଦେଶବ୍ୟାପୀ ଏହି SIR ଅଭିଯାନ ଚଲାଉଛନ୍ତି, ଯାହାକୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟ ଲଗାତାର ପ୍ରଶ୍ନ ଉଠାଇ ଆସୁଛନ୍ତି।

