ନକଲି ପନୀର ଓ ଚିଜ୍ ଡିସ୍ ଉପରେ ଜୋମାଟୋର ବ୍ୟାନ୍: ନିୟମ ନମାନିଲେ ହେବେ ଡିଲିଷ୍ଟ
ଅନଲାଇନ୍ ଫୁଡ୍ ଡେଲିଭରୀ ପ୍ଲାଟଫର୍ମ ଜୋମାଟୋ (Zomato) ଗ୍ରାହକଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟର ଗୁଣବତ୍ତାକୁ ଧ୍ୟାନରେ ରଖି ଏକ ବଡ଼ ନିଷ୍ପତ୍ତି ନେଇଛି। ଆନାଲଗ୍ ଡେୟାରୀ (ଯେପରିକି ନକଲି ବା କୃତ୍ରିମ ପନୀର ଓ ଚିଜ୍) ବ୍ୟବହାର କରି ତିଆରି ହେଉଥିବା ସମସ୍ତ ଡିସକୁ କମ୍ପାନୀ ନିଜ ପ୍ଲାଟଫର୍ମରେ ତୁରନ୍ତ ବ୍ୟାନ୍ କରିଛି।
ନୂଆ ନୀତି ଅନୁଯାୟୀ, ଯେଉଁ ରେଷ୍ଟୁରାଣ୍ଟଗୁଡ଼ିକ ପ୍ରାକୃତିକ ଖୀର ପରିବର୍ତ୍ତେ ଭେଜିଟେବୁଲ୍ ଅଏଲ୍, ଷ୍ଟାଚ୍ କିମ୍ବା କୃତ୍ରିମ ଉପାଦାନରେ ତିଆରି ଆନାଲଗ୍ ପନୀର ବ୍ୟବହାର କରୁଛନ୍ତି, ସେମାନଙ୍କର ସେହି ଆଇଟମ୍ଗୁଡ଼ିକୁ ମେନୁରୁ ହଟାଇ ଦିଆଯାଇଛି।
ଜୋମାଟୋ ପକ୍ଷରୁ ସମସ୍ତ ହୋଟେଲ୍ ଓ ରେଷ୍ଟୁରାଣ୍ଟ ପାର୍ଟନରଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ କେବଳ ୧୦୦% ଅସଲି ଡେୟାରୀ ପ୍ରୋଡକ୍ଟ ବ୍ୟବହାର କରନ୍ତୁ। ଯଦି କୌଣସି ରେଷ୍ଟୁରାଣ୍ଟ ନକଲି ପନୀର ବ୍ୟବହାର କରୁଥିବା ଜଣାପଡ଼େ କିମ୍ବା ନିୟମ ଉଲ୍ଲଂଘନ କରେ, ତେବେ ସେମାନଙ୍କୁ ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ଭାବେ ବାସନ୍ଦ (Delist) କରାଯିବ।
ଗ୍ରାହକମାନେ ଯେପରି ଶୁଦ୍ଧ ଓ ସୁରକ୍ଷିତ ଖାଦ୍ୟ ପାଇପାରିବେ, ସେଥିପାଇଁ ଏହି ‘ଜିରୋ-ଟୋଲେରାନ୍ସ’ ନୀତି ଲାଗୁ କରାଯାଇଛି ବୋଲି ଜୋମାଟୋ ପକ୍ଷରୁ କୁହାଯାଇଛି।

