କର୍ଣ୍ଣାଟକ ଗାଁରୁ ଏସୀୟ କ୍ରୀଡ଼ା: ସୁଟର କେଦାରଲିଙ୍ଗଙ୍କ ପ୍ରେରଣାଦାୟୀ ଯାତ୍ରା
ନୂଆଦିଲ୍ଲୀ: ୨୦୧୮ରେ ଭାରତୀୟ ସେନାରେ ଯୋଗ ଦେବା ସମୟରେ କେଦାରଲିଙ୍ଗ ବାଲକୃଷ୍ଣ ଉଚଗାଁଭେଙ୍କର କ୍ରୀଡ଼ା କ୍ଷେତ୍ରରେ କୌଣସି ବଡ଼ ଲକ୍ଷ୍ୟ ନଥିଲା। ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ଏବଂ ଦେଶସେବା କରିବା ହିଁ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ମାତ୍ର ସେନାରେ ଯୋଗଦେବା ପରେ ଅଚାନକ ସୁଟିଂ ସହ ଯୋଡ଼ିହୋଇ ୨୭ ବର୍ଷୀୟ ମାଦ୍ରାସ ରେଜିମେଣ୍ଟର ଏହି ନାଏବ ସୁବେଦାର ଏବେ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି।
କର୍ଣ୍ଣାଟକର ଏକ କୃଷକ ପରିବାରରୁ ଆସିଥିବା କେଦାରଲିଙ୍ଗ, ସେନାର ଚୟନ ପ୍ରକ୍ରିୟା ସମୟରେ ପ୍ରଥମ ଥର ପିସ୍ତୋଲ ଧରିଥିଲେ। ସେନା, ଏନଆରଏଆଇ (NRAI), ଏସଏଆଇ (SAI) ଏବଂ କୋଚମାନଙ୍କ ପ୍ରୋତ୍ସାହନ ଯୋଗୁଁ ସେ ସୁଟିଂକୁ ନିଜର କ୍ୟାରିୟର ଭାବେ ଆପଣେଇଥିଲେ। ଏକାଗ୍ରତା ଓ ଧୈର୍ଯ୍ୟକୁ ନିଜର ଅସ୍ତ୍ର କରି ସେ ୨୦୨୨ ୱାର୍ଲ୍ଡ କପରେ ମଧ୍ୟ ଭାଗ ନେଇସାରିଛନ୍ତି।
ଗାଁରୁ ଆସି ସେନାରେ ଯୋଗଦେବା ଏବଂ ଏବେ ବିଦେଶରେ ଦେଶର ପ୍ରତିନିଧିତ୍ୱ କରିବାକୁ ନେଇ ତାଙ୍କ ପରିବାର ଓ ଗ୍ରାମବାସୀ ଅତ୍ୟନ୍ତ ଗର୍ବିତ। କୌଣସି ମାନସିକ ଚାପ ନନେଇ କେବଳ ନିଜ ଖେଳ ଉପରେ ଧ୍ୟାନ ଦେଉଥିବା କେଦାରଲିଙ୍ଗଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଲସ ଆଞ୍ଜେଲସ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିବା।

