World-Class Makeover for Puri: CM Directs Fast-Tracking of International Airport and Heritage Projects/ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ପୁରୀ ବିକାଶ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବୃଦ୍ଧି ପାଇବ ପର୍ଯ୍ୟଟନ ଓ ଐତିହ୍ୟ, ମୁଖ୍ୟମନ୍ତ୍ରୀ କଲେ ପ୍ରକଳ୍ପ ସମୀକ୍ଷା

ଭୁବନେଶ୍ୱର:
ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସହର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି।
ଏହି ବୈଠକରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ, ଶ୍ରୀ ଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର ଏବଂ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ନୂତନ ମହାପ୍ରସାଦ ରୋଷଶାଳା ନିର୍ମାଣ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ‘ଶ୍ରୀ ସେତୁ’ ନିକଟରେ ତୁରନ୍ତ ଥଇଥାନ କରିବାକୁ କୁହାଯାଇଛି।
ସେହିପରି ସାକ୍ଷୀଗୋପାଳ ମନ୍ଦିର, କାକଟପୁର ମାଆ ମଙ୍ଗଳା ମନ୍ଦିର, ଜଗନ୍ନାଥ ଦାସଙ୍କ ସାତଲହଡ଼ି ମଠ ଓ ସତ୍ୟବାଦୀ ବନବିଦ୍ୟାଳୟର ପୁନରୁଦ୍ଧାର ସହ ଅଠରନଳା ନିକଟରେ ଏକ ଆଇକନିକ୍ ହେରିଟେଜ୍ ବ୍ରିଜ୍ ନିର୍ମାଣ କରାଯିବ। ପୁରୀ-ଭୁବନେଶ୍ୱର, ପୁରୀ-କୋଣାର୍କ ଓ ପୁରୀ-ବ୍ରହ୍ମଗିରି ରାସ୍ତାର ପ୍ରଶସ୍ତିକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ପୁରୀ କେବଳ ଗୋଟିଏ ଜିଲ୍ଲା ନୁହେଁ, ଏହା ସମଗ୍ର ଓଡ଼ିଶାର ଅସ୍ମିତା।” ସ୍ଥାନୀୟ ସେବାୟତ, ବ୍ୟବସାୟୀ ଓ ନାଗରିକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *