Women Safety, Drug-Free State & Cybercrime Control Top Priorities: New Interim DGP Binaytosh Mishra/ଦାୟିତ୍ୱ ନେଲେ ଅନ୍ତରୀଣ ଡିଜି ବିନୟତୋଷ ମିଶ୍ର; ସ୍ପଷ୍ଟ କଲେ ରାଜ୍ୟ ପୋଲିସର ୪ଟି ମୁଖ୍ୟ ପ୍ରାଥମିକତା…

ନାରୀ ସୁରକ୍ଷା ଓ ନିଶାମୁକ୍ତ ଓଡ଼ିଶା ଗଠନ ଆମର ପ୍ରାଥମିକତା: ଦାୟିତ୍ୱ ଗ୍ରହଣ ପରେ ବାର୍ତ୍ତା ଦେଲେ ଅନ୍ତରୀଣ ଡିଜି ବିନୟତୋଷ ମିଶ୍ର..
(ନ୍ୟୁଜ୍ ଡେସ୍କ): ରାଜ୍ୟ ପୋଲିସ ମୁଖ୍ୟାଳୟରେ ବିଧିବଦ୍ଧ ଭାବରେ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୯ ବ୍ୟାଚର ଆଇପିଏସ ଅଫିସର ବିନୟତୋଷ ମିଶ୍ର। ଦାୟିତ୍ୱ ନେବା ପରେ ସେ ରାଜ୍ୟ ପୋଲିସର ଆଗାମୀ କାର୍ଯ୍ୟପନ୍ଥା ଓ ପ୍ରାଥମିକତା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇଛନ୍ତି।
ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ସୁଦୃଢ଼ କରିବା ସହ ୪ଟି ପ୍ରମୁଖ ବିନ୍ଦୁ ଉପରେ ପୋଲିସ ବିଶେଷ ଗୁରୁତ୍ୱ ଦେବ।
ନାରୀ ସୁରକ୍ଷା: ମହିଳାମାନଙ୍କ ସୁରକ୍ଷାକୁ ରାଜ୍ୟ ପୋଲିସର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରେ ରଖାଯିବ। ମହିଳାମାନେ ଯେପରି ସମ୍ପୂର୍ଣ୍ଣ ନିରାପଦ ପରିବେଶରେ ରହିପାରିବେ, ସେଥିପାଇଁ ପୋଲିସ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ କ୍ରିୟାଶୀଳ କରାଯିବ।
ନିଶାମୁକ୍ତ ଓଡ଼ିଶା: ରାଜ୍ୟରୁ ନିଶା କାରବାର ସମ୍ପୂର୍ଣ୍ଣ ନିର୍ମୂଳ କରି ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯିବ।
ସଂଗଠିତ ଅପରାଧ ଦମନ: ରାଜ୍ୟରେ ଚାଲିଥିବା ବିଭିନ୍ନ ଅପରାଧିକ ଗୋଷ୍ଠୀ ଓ ସଂଗଠିତ ଅପରାଧ ଉପରେ କଡ଼ା ନଜର ରଖାଯିବା ସହ ସେଗୁଡ଼ିକୁ ଦମନ କରାଯିବ।
ସାଇବର ଅପରାଧ ନିୟନ୍ତ୍ରଣ: ବର୍ତ୍ତମାନର ବଦଳୁଥିବା ସମୟରେ ବଢ଼ୁଥିବା ସାଇବର ଠକେଇ ଓ ଅପରାଧକୁ ରୋକିବା ପାଇଁ ପୋଲିସ ସାଇବର କ୍ରାଇମ ନିୟନ୍ତ୍ରଣ ଉପରେ ବିଶେଷ ଦୃଷ୍ଟି ଦେବ।
ରାଜ୍ୟରୁ ନକ୍ସଲ ସମସ୍ୟା ପ୍ରାୟ ଦୂର ହୋଇସାରିଛି ବୋଲି ପ୍ରକାଶ କରି ଅନ୍ତରୀଣ ଡିଜି କହିଛନ୍ତି, “ଆଗକୁ ଯେପରି କୌଣସି ବ୍ୟକ୍ତି ନକ୍ସଲ ସଂଗଠନ ସହ ଯୋଡ଼ି ନହୁଅନ୍ତି, ସେଥିପାଇଁ ପୋଲିସ ସମ୍ପୂର୍ଣ୍ଣ ସତର୍କ ରହିବ।”
ଶେଷରେ, ପୋଲିସ ଅଧିକାରୀ ଓ କର୍ମଚାରୀମାନେ ନିଜର ବୃତ୍ତିଗତ କାର୍ଯ୍ୟରେ ‘ଲୋକସେବା’କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *