ଧୂମଧାମରେ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’, ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଆଜି ପଶ୍ଚିମ ଓଡ଼ିଶାର କୋଣ-ଅନୁକୋଣରେ ଉତ୍ସବର ମାହୋଲ। ନିଜର ମାଟି, ସଂସ୍କୃତି ଓ ପରମ୍ପରାକୁ ନେଇ ପାଳିତ ହେଉଥିବା ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ।
ନିର୍ଦ୍ଧାରିତ ଶୁଭ ଲଗ୍ନରେ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆ ଧାନର ଅନ୍ନ ଗ୍ରହଣ କରିଛନ୍ତି। ଏହାପରେ ବରିଷ୍ଠମାନଙ୍କୁ ପ୍ରଣାମ କରି ‘ନୂଆଖାଇ ଜୁହାର’ ଜଣାଇବା ସହ ଆଶୀର୍ବାଦ ନେବାର ପରମ୍ପରା ପ୍ରତିଟି ଘରେ ଦେଖିବାକୁ ମିଳିଛି।
ଏହି ପବିତ୍ର ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶ ଓ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଚାଷୀ ଭାଇଙ୍କ ଅକ୍ଲାନ୍ତ ପରିଶ୍ରମକୁ ପ୍ରଶଂସା କରିବା ସହ ନୂଆଖାଇ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଖୁସି ଆଣିଦେଉ ବୋଲି ସେମାନେ କାମନା କରିଛନ୍ତି।

