ପଶ୍ଚିମବଙ୍ଗର ଖଡ଼ଗପୁର ଅତିରିକ୍ତ ଏସପି (ASP) ଡ. ବୁଶରା ବାନୋଙ୍କ ବଦଳିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏକ ସୋସିଆଲ ମିଡିଆ ଭିଡିଓରେ ଆଲିଗଡ଼ ମୁସଲିମ୍ ୟୁନିଭରସିଟି (AMU) କୋଚିଂ ଆକାଡେମୀ ବିଷୟରେ କହିବା ବେଳେ ସେ “ଅସଲାମୁ ଅଲାଇକୁମ୍”, “ଇନସାଅଲ୍ଲା” ଓ “ଜଜାକଲ୍ଲା” ଭଳି ଶବ୍ଦ ବ୍ୟବହାର କରିଥିଲେ ।
ଏହାକୁ ନେଇ କିଛି କଟ୍ଟରପନ୍ଥୀ ସଂଗଠନ ଓ ସୋସିଆଲ ମିଡିଆ ବ୍ୟବହାରକାରୀ କଡ଼ା ଆପତ୍ତି ଜଣାଇଥିଲେ । ପୋଲିସ ବର୍ଦ୍ଧି ପିନ୍ଧି ଜଣେ ସରକାରୀ ଅଧିକାରୀ ହିସାବରେ ନିରପେକ୍ଷ ରହିବା ପରିବର୍ତ୍ତେ ଏପରି ଧାର୍ମିକ ଶବ୍ଦ ନ କହି “ଜୟ ହିନ୍ଦ୍” କିମ୍ବା “ବନ୍ଦେ ମାତରମ୍” କହିବା ଉଚିତ୍ ଥିଲା ବୋଲି ଅଭିଯୋଗ କରି ରାଜ୍ୟ ଗୃହ ସଚିବଙ୍କ ନିକଟରେ ଫେରାଦ ହୋଇଥିଲେ ।
ଏହି ବିବାଦର କିଛି ଦିନ ମଧ୍ୟରେ ହିଁ ପଶ୍ଚିମବଙ୍ଗ ସରକାର ତାଙ୍କୁ ଖଡ଼ଗପୁରରୁ ବଦଳି କରି ଷ୍ଟେଟ୍ ଆର୍ମଡ୍ ପୋଲିସ (SAP) ର ୪ର୍ଥ ବାଟାଲିୟନରେ ଡେପୁଟି କମାଣ୍ଡାଣ୍ଟ ଭାବେ ନିଯୁକ୍ତି ଦେଇଛନ୍ତି ।
ପ୍ରଶାସନ ପକ୍ଷରୁ ଏହାକୁ ଏକ ସାଧାରଣ ବଦଳି ପ୍ରକ୍ରିୟା ବୋଲି କୁହାଯାଉଥିଲେ ବି, ବିରୋଧୀ ଦଳ ଓ ରାଜନୈତିକ ବିଶ୍ଳେଷକମାନେ ଏହାକୁ ଭିଡିଓ ବିବାଦର ଶାସ୍ତିମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ସନ୍ଦେହ କରୁଛନ୍ତି । ଏହି ଘଟଣା ପରେ ସରକାରୀ ଅଧିକାରୀଙ୍କ ବ୍ୟକ୍ତିଗତ ଅଭିବ୍ୟକ୍ତି ଓ ସାମାଜିକ ନିରପେକ୍ଷତାକୁ ନେଇ ରାଜନୀତି ବେଶ୍ ସରଗରମ ହୋଇଛି ।

