ଇରାନରୁ ପେଟ୍ରୋଲିୟମ୍ ଆମଦାନୀ ଅଭିଯୋଗ: ୪ଟି ଭାରତୀୟ ସଂସ୍ଥା ଓ ୩ ଜଣ ନାଗରିକଙ୍କ ଉପରେ ଆମେରିକାର କଟକଣା
ନୂଆଦିଲ୍ଲୀ:
ଇରାନ ସହ ବେଆଇନ୍ ଭାବେ ପେଟ୍ରୋଲିୟମ୍ ଓ ପେଟ୍ରୋକେମିକାଲ୍ ବ୍ୟବସାୟରେ ଜଡ଼ିତ ଥିବା ଅଭିଯୋଗରେ ଆମେରିକା ୪ଟି ଭାରତୀୟ କମ୍ପାନୀ ଏବଂ ୩ ଜଣ ଭାରତୀୟ ନାଗରିକଙ୍କ ଉପରେ ପ୍ରତିବନ୍ଧକ (Sanctions) ଲଗାଇଛି। ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଏହି ବଡ଼ ପଦକ୍ଷେପ ନିଆଯାଇଛି।
ଆମେରିକାର “ଅପରେସନ୍ ଇକୋନୋମିକ୍ ଆଉଟକାଷ୍ଟ” (Operation Economic Outcast) ଅଭିଯାନର ଭାଗ ସ୍ୱରୂପ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇରାନର ସାମରିକ ଗତିବିଧି ଓ ଅର୍ଥନୈତିକ ଉତ୍ସକୁ ଦୁର୍ବଳ କରିବା ପାଇଁ ଆମେରିକା ଏହି ଅଭିଯାନ ଚଳାଇଛି।
କାହା କାହା ଉପରେ ଲାଗିଲା କଟକଣା?
ଆମେରିକା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି କଟକଣା ଭାରତର ସଦାଶିବ ଓଭରସିଜ୍ ଲିମିଟେଡ୍, ପିପି ସଫ୍ଟଟେକ୍ ପ୍ରାଇଭେଟ୍ ଲିମିଟେଡ୍, ପ୍ରକୃତିସ୍ ଇନଫ୍ରା ଇମ୍ପେକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂ ପୋର୍ଟଇଜ୍ ପାର୍ଟନର୍ସ LLP କମ୍ପାନୀ ଉପରେ ଲଗାଯାଇଛି।
ଏହାସହ ଏହି କମ୍ପାନୀଗୁଡ଼ିକ ସହ ଜଡ଼ିତ ୩ ଜଣ ଭାରତୀୟ ନାଗରିକ—ଇଦ୍ରିସମିୟା ଅଶରଫମିୟା ଶେଖ, ହରିଶ ରାମଚନ୍ଦ୍ର ରଙ୍ଗୀ ଏବଂ ପ୍ରଶାନ୍ତ ଗର୍ଗଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।
୧୧୯ ନିୟୁତ ଡଲାରର ବ୍ୟବସାୟ ଅଭିଯୋଗ
ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀଗୁଡ଼ିକ ମିଶି ଇରାନରୁ ପାଖାପାଖି ୧୧୯ ନିୟୁତ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧,୦୦୦ କୋଟି ଟଙ୍କାରୁ ଅଧିକ) ମୂଲ୍ୟର ପେଟ୍ରୋଲିୟମ୍ ପଦାର୍ଥ ଆମଦାନୀ ଓ କାରବାର କରିଛନ୍ତି।
ତେବେ ଏହି ଆମେରିକୀୟ କଟକଣା ସମ୍ପର୍କରେ ସମ୍ପୃକ୍ତ ଭାରତୀୟ କମ୍ପାନୀ କିମ୍ବା ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

