ଐତିହାସିକ ‘ସୁପର ଏଲ୍ ନିନୋ’ର ଆଶଙ୍କା: ବିଶ୍ୱରେ ୪.୫ ଲକ୍ଷ ଓ ଭାରତରେ ୧୫,୮୦୦ ଅତିରିକ୍ତ ମୃତ୍ୟୁ ହୋଇପାରେ
ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ‘ଏଲ୍ ନିନୋ’ (El Niño) ଏଥର ସବୁ ରେକର୍ଡ ଭାଙ୍ଗିବାର ସମ୍ଭାବନା ଦେଖାଦେଇଛି। ଚିକାଗୋ ବିଶ୍ୱବିଦ୍ୟାଳୟର ‘କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ୍’ (CIL) ର ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାରା ବିଶ୍ୱରେ ପ୍ରାୟ ୪,୫୧,୦୦୦ ଅଧିକ ଲୋକ ପ୍ରାଣ ହରାଇପାରନ୍ତି।
ଭାରତ ପାଇଁ ବଢ଼ୁଛି ଚିନ୍ତା
ଏହି ଜଳବାୟୁ ପରିବର୍ତ୍ତନର ସବୁଠାରୁ ବଡ଼ ପ୍ରଭାବ ଦକ୍ଷିଣ ଏସୀୟ ଦେଶଗୁଡ଼ିକ ଉପରେ ପଡ଼ିବ। ରିପୋର୍ଟ ଅନୁଯାୟୀ, ୨୦୨୭ ଫେବୃଆରୀ ମାସ ମଧ୍ୟରେ କେବଳ ଭାରତରେ ହିଁ ପ୍ରାୟ ୧୫,୮୦୦ ଅତିରିକ୍ତ ଲୋକଙ୍କର ମୃତ୍ୟୁ ଘଟିପାରେ। ଆଶଙ୍କାର ବିଷୟ ହେଉଛି, ଭାରତରେ ସାଧାରଣତଃ ମାର୍ଚ୍ଚରୁ ମଇ ମାସ (ଖରାଦିନ) ମଧ୍ୟରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥାଏ। କିନ୍ତୁ ଆଗାମୀ ଦିନରେ ଏହି ତାପମାତ୍ରା ଆହୁରି ବଢ଼ିବାକୁ ଥିବାରୁ ପ୍ରକୃତ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ।
ସମୁଦ୍ର ତାପମାତ୍ରା ବୃଦ୍ଧି ଓ ସାମୁଦ୍ରିକ ଝଡ଼
କଲମ୍ବିଆ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ମାସରେ ସେଣ୍ଟ୍ରାଲ୍ ଇକ୍ୱେଟୋରିଆଲ୍ ପ୍ୟାସିଫିକ୍ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣଠାରୁ ୩ ଡିଗ୍ରୀ ସେଲସିୟସ୍ ଅଧିକ ରହିଛି। ଏହାଯୋଗୁଁ ପୃଥିବୀର ସ୍ଥଳଭାଗର ତାପମାତ୍ରା ୧.୨ ଡିଗ୍ରୀ ବୃଦ୍ଧି ପାଇବା ସହ ଅତ୍ୟଧିକ ଗରମ ଦିନର ସଂଖ୍ୟା ୪୪ ପ୍ରତିଶତ ବଢ଼ିଯିବ।
ଏହାଛଡ଼ା ବଙ୍ଗୋପସାଗରରେ ସମୁଦ୍ର ତାପମାତ୍ରା ବୃଦ୍ଧି ପାଉଥିବାରୁ ‘ରୋମାଲ’ ଓ ‘ମୋଚା’ ଭଳି ପ୍ରକୋପକାରୀ ବାତ୍ୟାର ଆଶଙ୍କା ମଧ୍ୟ ବଢ଼ିଯାଇଛି, ଯାହା ଭାରତର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ।



