SC Gives Final Warning to Centre over Front-of-Pack Warning Labels on Processed Food/ପ୍ୟାକେଟ୍ ଖାଦ୍ୟରେ ‘ୱାର୍ଣ୍ଣିଂ ଲେବୁଲ୍’ ମାମଲା: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଶେଷ ଚେତାବନୀ; “କର୍ପୋରେଟ୍ ସ୍ୱାର୍ଥ ଅପେକ୍ଷା ଜନସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ”

ପ୍ୟାକେଟ୍ ଖାଦ୍ୟରେ ‘ୱାର୍ଣ୍ଣିଂ ଲେବୁଲ୍’ ମାମଲା: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଶେଷ ଚେତାବନୀ; “କର୍ପୋରେଟ୍ ସ୍ୱାର୍ଥ ଅପେକ୍ଷା ଜନସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ”

ନୂଆଦିଲ୍ଲୀ:ପ୍ୟାକେଟ୍ ଖାଦ୍ୟ ସାମଗ୍ରୀରେ ଅତ୍ୟଧିକ ଚିନି, ଲୁଣ ଏବଂ ସାଚୁରେଟେଡ୍ ଫ୍ୟାଟ୍ (ସଂସ୍କୃତ ଚର୍ବି) ସମ୍ପର୍କିତ ଚେତାବନୀ ଲେବୁଲ୍ (Front-of-Pack Warning Labels) ଲଗାଇବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଶେଷ ଚେତାବନୀ ଦେଇଛନ୍ତି। ଏହି ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅଦାଲତ କେନ୍ଦ୍ରକୁ ଦୁଇ ସପ୍ତାହର ସମୟ ଦେବା ସହ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଜେ.ବି. ପାର୍ଡିୱାଲା ଏବଂ ଜଷ୍ଟିସ୍ କେ. ଵିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ପୀଠ ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି କରି ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶୁଣାଣି ସମୟରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ, “ଜନସ୍ୱାସ୍ଥ୍ୟ ସହ ଜଡ଼ିତ ନିଷ୍ପତ୍ତି କୌଣସି ପରିସ୍ଥିତିରେ ବି କର୍ପୋରେଟ୍ ବା ବ୍ୟବସାୟିକ ସ୍ୱାର୍ଥ ଦ୍ୱାରା ପ୍ରଭାବିତ ହେବା ଉଚିତ୍ ନୁହେଁ।”

ଆବେଦନକାରୀ କୋର୍ଟଙ୍କୁ ଜଣାଇଥିଲେ ଯେ, ଖାଦ୍ୟ ନିୟାମକ ସଂସ୍ଥା FSSAI (ଫୁଡ୍ ସେଫ୍ଟି ଏଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ) ଖାଦ୍ୟ କମ୍ପାନୀଗୁଡ଼ିକର ଚାପରେ ଆସି ମୁଖ୍ୟ ଚେତାବନୀ ଲେବୁଲ୍ ବଦଳରେ କେବଳ ଏକ ପୋଷକ ତତ୍ତ୍ୱ ତାଲିକା (Nutritional Table) ଦେବାକୁ ପ୍ରସ୍ତାବ ଦେଇଥିଲା। ଗତ ମାର୍ଚ୍ଚ ୭ ରେ ଅନୁଷ୍ଠିତ FSSAI ର ଏକ ବୈଠକରୁ ଏହି ସୂଚନା ମିଳିଥିବା ଆବେଦନକାରୀ କୋର୍ଟଙ୍କ ଦୃଷ୍ଟିଆକର୍ଷଣ କରିଥିଲେ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସୋଲିସିଟର ଜେନେରାଲ ବ୍ରିଜେନ୍ଦ୍ର ଚାହାର ଯୁକ୍ତି ଦର୍ଶାଇଥିଲେ ଯେ, ଭାରତୀୟ ପାରମ୍ପରିକ ଖାଦ୍ୟ ଉପରେ ଆନ୍ତର୍ଜାତୀୟ ପ୍ୟାକେଜିଂ ମାନଦଣ୍ଡ ଲାଗୁ କରିବା ଅନୁଚିତ୍ ହେବ। ତେବେ ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। ଦେଶର ନାଗରିକ, ବିଶେଷ କରି ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସରକାର କେତେ ଦୂର ପ୍ରସ୍ତୁତ ବୋଲି ପ୍ରଶ୍ନ କରିଛନ୍ତି ଅଦାଲତ।
ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମୟ ଦେଇଛନ୍ତି। ଯଦି ଆସନ୍ତା ଶୁଣାଣି ସୁଦ୍ଧା ଆବଶ୍ୟକୀୟ ପଦକ୍ଷେପ ନନିଆଯାଏ, ତେବେ କୋର୍ଟ ନିଜଆଡ଼ୁ ଏକ ଚୂଡ଼ାନ୍ତ ନିର୍ଦ୍ଦେଶନାମା ଜାରି କରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *